Onn 3

ରାଷ୍ଟ୍ରୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

State

image-25-1

ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 102 ବର୍ଷ ହୋଇଥିଲା । ଶତାୟୁଙ୍କ ପାର୍ଥିବ ଶରୀର ବଡ଼ଚଣାରେ ପହଞ୍ଚିବା ପରେ ଛତିଆ, ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ବେଣାପୁର ଆଦି ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ତ୍ରିରଙ୍ଗା ପତାକାରେ ଆବୃତ୍ତ ହୋଇଥିଲା ତାଙ୍କ ମରଶରୀର । ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କ ଗାଁ ବାଲିପଡିଆ ଶ୍ମଶାନରେ ଶେଷ ହୋଇଛି ନୀଳମଣିଙ୍କ ଶେଷକୃତ୍ୟ । ଏହି ସମୟରେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସପି ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ଦେଶର ସ୍ବାଧୀନତା ଆଣିବା ପାଇଁ ସଂଗ୍ରାମରେ ଝାସ ଦେଇଥିଲେ ଅନେକ ସଂଗ୍ରାମୀ । ସେମାନଙ୍କ ମଧ୍ୟରୁ ସଂଗ୍ରାମୀ ନୀଳମଣି ସାମଲ ଥିଲେ ଅନ୍ୟତମ । ମାତ୍ର ୧୬ ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ସ୍ବାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ ନୀଳମଣି ।

ତତ୍କାଳୀନ ସ୍ବାଧିନତା ସଂଗ୍ରାମୀ କୃଷ୍ଣମୋହନ ରାଉତରାୟ ଏବଂ ବଡଚଣାର ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ନୀଳମଣି ।

ଏଥିପାଇଁ ତାଙ୍କୁ ବିଭିନ୍ନ ଜେଲରେ ୩ ବର୍ଷ କାରାବାସ ଭୋଗିବାକୁ ପଡିଥିଲା । ତେବେ ଜୀବିତ ଥିବା ଏକମାତ୍ର ସଂଗ୍ରାମୀ ନୀଳମଣି ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ଚାରି ଚାରି ଥର ସମ୍ମାନୀତ ହୋଇଥିଲେ । କେବଳ ସେତିକି ନୁହେଁ ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କୁ ମିଳିଛି ଅନେକ ସମ୍ମାନ ।