Onn 3

ଖୋଲା ଆକାଶ ତଳେ ଚାଷୀଙ୍କ ଧାନ, ଅସ୍ଥିତ୍ୱ ହରାଇଛି ବନ୍ତ ବ୍ଲକର ଏକମାତ୍ର ଗୋଦାମ ଗୃହ

State

ଆଗରପଡ଼ା :ପ୍ରତି ବ୍ଲକ ଅଧିନରେ ବସବାସ କରୁଥିବା ଜନସାଧାରଣଙ୍କ ଖାଦ୍ୟ ସାମଗ୍ରୀକୁ ମହଜୁଦ ରଖିବା ପାଇଁ ସରକାର ଙ୍କ ପକ୍ଷରୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗୋଦାମ ଗୃହ ନିର୍ମାଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବନ୍ତ ବ୍ଲକର ତହସିଲ କାର୍ଯ୍ୟାଳୟ ନିକଟରେ ମଧ୍ୟ ଏକ ଏକର ବିଶିଷ୍ଟ ସ୍ଥାନରେ ଗୋଦମ ଗୃହ ସହ ତାହାର କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା । ଉକ୍ତ ଗୃହରେ ସାମଗ୍ରୀ ମହଜୁଦ ରହି ଏଥିରୁ ବିଭିନ୍ନ ବିଦ୍ୟାଳୟ,ଅଙ୍ଗନୱାଡ଼ି କେନ୍ଦ୍ର ସହ ଏହା ଅଧିନରେ ଥିବା ୨୫ଗୋଟି ପଂଚାୟତର ପ୍ରାୟ ୭୫ରୁ ଅଧିକ ଖାଉଟି କେନ୍ଦ୍ରକୁ ଖାଉଟି ସାମଗ୍ରୀ ସହ ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକୀୟ ଚାଉଳ ଦୀର୍ଘବର୍ଷ ଧରି ସୁଚାରୁରୁପେ ଯୋଗାଣ କରାଯାଉଥିଲା ଉକ୍ତ କାର୍ଯ୍ୟାଳୟରେ ଅଧିକାରୀ ଊପସ୍ଥିତ ରହି କାର୍ଯ୍ୟ ମଧ୍ୟ କରୁଥିଲେ । ଚାଷ ସମୟରେ ଚାଷୀଙ୍କର ଧାନକୁ ଉକ୍ତ ଗୋଦାମ ଗୃହରେ ନିରାପଦ ଭାବେ ରଖି ବିଭିନ୍ନ ମିଲକୁ ପଠାଯିବାର ବ୍ୟବସ୍ଥା ମଧ୍ୟ ହୋଇଥିଲା । ମାତ୍ର ତିନିବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଉକ୍ତ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିଛି ।

ସଂପୂର୍ଣ୍ଣ ବନ୍ଦ ରହିବା ଦ୍ୱାରା ଗୋଦାମ ଗୃହଟି ନିଜର ଅସ୍ଥିତ୍ୱ ହରାଇବା ସହ ଜଙ୍ଗଲର ଭ୍ରମ ସୃଷ୍ଟି କରି ଭୂତ କୋଠିରେ ପରିଣତ ହୋଇଛି । ତାହା ପାଖରେ ଥିବା ଅଫିସ ଗୃହରେ କବାଟ ଝରକା ଆଉ ନଥିବା ବେଳେ ପାଚେରୀ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଅପରପକ୍ଷରେ ଗୋଦାମ ଗୃହ ଅଭାବରୁ ଏବଂ ଉକ୍ତ ବ୍ଲକ ଅଧିନରେ ଥିବା ୧୧ ଗୋଟି ସମବାୟ ସମିତିରେ ଚାଷ ଋତୁରେ ଖୋଲାଯାଉଥିବା ଧାନ ମଣ୍ଡି ପାଇଁ କୈାଣସି ଗୃହ ନିର୍ମାଣ ହୋଇନଥିବାରୁ ଚାଷୀ ଅମଳ କରିଥିବା ଧାନକୁ ଖୋଲା ଆକାଶ ତଳେ ଖରା ଓ ବର୍ଷାରେ ପକାଇ ତାକୁ ଜଗି ରହୁଥିବା ଦେଖିବାକୁ ମିଳୁଛି । ତେଣୁ ଚାଷୀଙ୍କ ହିତ ପାଇଁ ପ୍ରଶାସନ ଭୂତ କୋଠି ପାଲଟି ଅସ୍ଥିତ୍ୱ ହରାଇବାକୁ ବସିଥିବା ଗୋଦାମ ଗୃହର ପୁନଃ ଉଦ୍ଧାର କରିବାକୁ ଚାଷୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବିହେଉଛି ।