Onn 3

ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

State

ଦମଳ-720x430

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ଶ୍ରୀରାମଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ ବେଦପାଠରେ ଗୁଞ୍ଜରିତ ହୋଇଛି ପରିବେଶ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ପଞ୍ଚାୟତ ଅଧୀନ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀରାମ ମନ୍ଦିର। ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜିଲ୍ଲାର ବଛା ବଛା କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିବା ବେଳେ ମାଇଲ ମାଇଲ ଦୂରରୁ ପ୍ରଭୁଙ୍କ ମନ୍ଦିର ଦୃଶ୍ୟମାନ ହେଉଛି। ଏହି ମନ୍ଦିର ଶ୍ରୀରାମ ସେବା ପରିଷଦ ଆନୁକୂଲ୍ୟରେ ଲୋକାର୍ପିତ ହୋଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬ ଶହ ଫୁଟ ଉଚ୍ଚ ଏବଂ ପାହାଡ଼ିଆ ରାସ୍ତାରେ ପ୍ରାୟ ୨ କିମି ଗଲେ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଭବ୍ୟ ମନ୍ଦିର ଦେଖିବାକୁ ମିଳିଛି।

କଳିଙ୍ଗ ସ୍ଥାପତ୍ୟ ଶୈଳୀ ତଥା ବଉଳା ପଥରରେ ନିର୍ମିତ ମୁଖ୍ୟ ମନ୍ଦିରର ଉଚ୍ଚତା ୬୫ ଫୁଟ ଥିବାବେଳେ ନାଟମଣ୍ଡପ ୪୫ ଓ ଜଗମୋହନର ଉଚ୍ଚତା ୩୫ ଫୁଟ ହୋଇଥିବା ସୂଚନା ରହିଛି। ସେହିପରି ପାର୍ଶ୍ୱ ଦେବାଦେବୀ ଭାବେ ଶ୍ରୀଗଣେଶ, ମହାଦେବ, ପ୍ରଭୁ ହନୁମାନ ଏବଂ ସୂର୍ଯ୍ୟନାରାୟଣଙ୍କ ମନ୍ଦିର ଥିବା ମୁଖ୍ୟ କାରିଗର ରାମଚନ୍ଦ୍ର ସାହୁଙ୍କଠାରୁ ସୂଚନା ମିଳିଛି। ପ୍ରାୟ ୩୬ ଏକର ସ୍ଥାନରେ ନିର୍ମିତ ଏହି ମନ୍ଦିରରେ କୋଣାର୍କ ତଥା ତାରାତାରିଣୀ ମନ୍ଦିର କାରୁକାର୍ଯ୍ୟର ସାମଞ୍ଜସ୍ୟ ଦେଖିବାକୁ ମିଳିଛି। ମୁଖ୍ୟ ବିଗ୍ରହ ପ୍ରତିଷ୍ଠା ପାଇଁ ରାଜସ୍ଥାନରୁ ସାଢ଼େ ୬ ଫୁଟ ଉଚ୍ଚର ମାର୍ବଲ ନିର୍ମିତ ରାମ ଲାଲାଙ୍କ ମୂର୍ତ୍ତି ଆସିଥିଲା।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ବର୍ଷ ବର୍ଷ ଧରି ଏହି ପାହାଡ଼ ଉପରେ ସ୍ଥାନୀୟ ଗ୍ରାମବାସୀ ବର୍ଷା ପାଇଁ ଗିରି ଗୋବର୍ଦ୍ଧନଙ୍କ ପୂଜା କରୁଥିଲେ। ତେବେ ପରେ ଗାଁ ଲୋକଙ୍କ ସହଯୋଗରେ ଏହି ପାହାଡ଼ ଉପରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ଗୁରୁବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରାଣପ୍ରତିଷ୍ଠା ଉତ୍ସବ ଏବଂ ୨୪ ତାରିଖରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ଶ୍ରୀରାମ ସେବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।