Onn 3

ଖବର ପ୍ରକାଶ ପରେ ନିଯୁକ୍ତି ପାଇଲେ ଡ଼ାକ୍ତର

State

ଆଗରପଡ଼ା :ଗତ ବର୍ଷ ନଭେମ୍ବର ମାସରେ“ସମସ୍ୟାଘେରରେ ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର;ବିନା ଫାର୍ମାସିଷ୍ଟ ଓ ଡ଼ାକ୍ତରରେ ରୋଗୀ ସେବା”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଗତ କିଛି ଦିନ ତଳେ ଜିଲ୍ଲାରେ ନିଯୁକ୍ତି ପାଇଥିବା ୩୪ ଜଣ ଡ଼ାକ୍ତରଙ୍କ ମଧ୍ୟରୁ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ୨୪ଜଣଙ୍କ ମଧ୍ୟରୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦୁଆପଦା,ବନ୍ତ ଓ ଅଡ଼ାଳପଙ୍କ ଠାରେ ୩ଜଣ ଡ଼ାକ୍ତର ନିଯୁକ୍ତି ପାଇଛନ୍ତି । ଏଠାରେ ପ୍ରକାଶ ଥାଉକି;୧୯୯୩ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ଟି ପ୍ରତିଷ୍ଠା ହୋଇପାରିଥିଲା । କିନ୍ତୁ ପ୍ରତିଷ୍ଠା ପର ଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରିଥିଲା । ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ । ଭାରପ୍ରାପ୍ତ ଡ଼ାକ୍ତର ପଦବୀ ଦିର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିଥିବାରୁ ଜଣେ ମାତ୍ର ଆୟୁଷ ଡ଼ାକ୍ତର ରୋଗୀ ସେବା କରି ଆସୁଥିଲେ । ପ୍ରାୟ ୩ବର୍ଷ ହେବ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଡ଼ିଆ ଓ ରାମଚନ୍ଦ୍ରପୁର ପଞ୍ଚାୟତ ସମେତ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସଢା ପଂଚାୟତ ଅନ୍ତର୍ଗତ ନାହା,ମୈାଦା,ମିଠିଗାଁ,ବେରୁଣପଦୀ ଆଦି ବିଭିନ୍ନ ଗ୍ରାମର ଶତାଧିକ ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ।

ଏଥି ସହିତ ଆଗରପଡ଼ା-ବନ୍ତ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ପ୍ରତିଦିନ ଯାଉଥିବା ଶତାଧିକ ଲୋକ ବିଭିନ୍ନ ଦୁର୍ଘଟଣା ଜନିତ ଚିକିତ୍ସା ମଧ୍ୟ ଏଠାରେ ହୋଇଥାନ୍ତି । ମାତ୍ର ସେପରି ସ୍ଥଳେ ସପ୍ତାହର ପ୍ରତି ଗୁରୁବାର ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଜଣେ ମାତ୍ର ଆୟୁଷ ଡ଼ାକ୍ତର ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବାରେ ନିଜକୁ ନିୟୋଜିତ କରୁଥିବାରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ନିମନ୍ତେ ଭଗବାନ କେବଳ ସାହା ଭରଷା ବୋଲି ଅଭିଯୋଗ ହୋଇ ଆସୁଥିଲା । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ଏହି ସବୁ ସମସ୍ୟାର ଶୀଘ୍ର ସମାଧାନ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।