Onn 3

ସଂଘବଦ୍ଧ ଆକ୍ରମଣରେ କାର୍ଯ୍ୟରତ ସାମ୍ବାଦିକ ଗୁରୁତର

State

IMG_20240120_124355-750x430

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପାର୍ଶ୍ୟ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ନିକଟରେ ମଧ୍ୟାହ୍ନ ସମୟରେ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଗୁରୁତର ଆହତ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।
ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଉପଖଣ୍ଡର ଦୈନିକ ଖବରକାଗଜ ‘ସକାଳ’ ପ୍ରତିନିଧି ରାଜେଶ କୁମାର ଶର୍ମା ନିଜ ବାସଭବନରେ ଥିବା ସମୟରେ ତାଙ୍କ ପାଖକୁ ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ୍‌ ଆସିଥିଲା। ଫୋନରେ ଯୁବକ ଜଣକ ରାଇରଙ୍ଗପୁର ମେଡିକାଲକୁ ଡାକିଥିଲେ। ଶ୍ରୀ ଶର୍ମା ନିଜ ବାଇକରେ ମେଡିକାଲ ଯାଉଥିବା ସମୟରେ ଟାଉନ ଥାନା ଓ ଏସବିଆଇ ବ୍ୟାଙ୍କ୍ ପାର୍ଶ୍ୟରେ ୧୦ ରୁ ୧୨ ଜଣ ଯୁବକ ତାଙ୍କୁ ଅଟକାଇ ମିଥ୍ୟା ଖବର କାହିଁକି ପ୍ରକାଶ କରୁଛୁ କହି ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେହି ସମୟରେ ପଛପଟୁ ଜଣେ ଯୁବକ ଏକ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା। ଫଳରେ ସେଠାରେ ସେ ଟଳି ପଡିଥିଲେ।
ଉକ୍ତ ଘଟଣାକୁ ଦେଖି ଅନ୍ୟ ଜଣେ ସାମ୍ବାଦିକ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତେବେ ସଂଘବଦ୍ଧ ହୋଇ ମାରିଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଏସଡିପିଓ ଗକୁଳାନନ୍ଦ ସାହୁ, ଥାନା ଅଧିକାରୀ ସୁଛନ୍ଦ୍ର ମହାଳିକ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ରାଇରଙ୍ଗପୁରର ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପହଞ୍ଚି ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଉକ୍ତ ଘଟଣାକୁ ମୟୂରଭଞ ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିଛି ଏବଂ ଅଭି‌ଯୁକ୍ତର ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି। ପୁଲିସ ପୁରୁଣାପାଣି ଗ୍ରାମର କିଛି ଗ୍ରାମବାସୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।