Onn 3

ରାସ୍ତା ସମ୍ପ୍ରସାରଣ ଓ ସୁଦୃଢୀକରଣ କାର୍ଯ୍ୟର ଶିଳାନ୍ୟାସ; ଦ୍ୱିପାଞ୍ଚଳ ବିକାଶ ପାଇଁ ୫ଶହ କୋଟି ଅନୁଦାନ

State

ନିଶ୍ଚିନ୍ତକୋଇଲି : କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମଙ୍ଗଳବାର ପୂର୍ବାହ୍ନରେ ୫୦କୋଟି ଟଙ୍କା ଅନୁଦାନରେ ଚିତ୍ରୋତ୍ପଳା ଦକ୍ଷିଣପାଶ୍ୱର୍ ନଦୀବନ୍ଧ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢୀକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି । ଏହି ରାସ୍ତାଟି ଜନାର୍ଦ୍ଦନପୁର ପଞ୍ଚାୟତ ବଳରାମପୁର ଠାରୁ ମହମ୍ମଦପୁର ପଞ୍ଚାୟତ ବିଶ୍ୱନାଥପୁର ପର୍ଯ୍ୟନ୍ତ ୧୬କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଚଉଡ଼ା ୩୦ଫୁଟ କରାଯିବ ବୋଲି ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଅନୁପ ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ ଭୋଇଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ବେହେରା ଯୋଗ ଦେଇ ମହାନଦୀ ଚିତ୍ରୋତ୍ପଳା ଦୋଆବ ଅଞ୍ଚଳର ବିକାଶ ପାଇଁ ତାଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରା ବହୁ ବିକାଶମୂଳକ କରିଯାଇଥିଲା ବେଳେ ବାକି ରହିଥିବା ପରିକଳ୍ପନାର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଥିଲେ । ଦୁଇବର୍ଷ ମଧ୍ୟରେ ଏହି ଦ୍ୱିପାଞ୍ଚଳରେ ୫୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି ରାସ୍ତାଟି ଦୁଇବର୍ଷ ମଧ୍ୟରେ ନିର୍ମାଣ ଶେଷ ହେଲେ ୧୪ଟି ପଞ୍ଚାୟତର ଜନସାଧାରଣମାନେ ଏକ ଉନ୍ନତମାନର ରାସ୍ତା ପାଇପାରିବା ସହିତ ନଦୀରେ ବନ୍ୟା ଆସିଲେ ଆଉ ଘାଇ ଭାଙ୍ଗିବାର କୌଣସି ଆଶଙ୍କା ନଥିବା ପ୍ରକାଶ କରିଥିଲେ ।

ଏହାଛଡ଼ା ମହାନଦୀରେ ସିର୍ଲୋ-ସାହୁକ୍ଷେତ ସେତୁ , ଚିତ୍ରୋତ୍ପଳା ନଦୀରେ ପାଳଦା-ନେମାଳ ସେତୁ ଓ ଜନାର୍ଦ୍ଦନପୁର ଠାରେ ଶନିଘାଟ କୁଳିଆ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଗମନାଗମନ, କୃଷି କ୍ଷେତ୍ରରେ ବ୍ୟାପକ ବିକାଶ ହେବା ସହିତ ଲୋକମାନଙ୍କର ଆର୍ଥିକ ମାନଦଣ୍ଡ ବୁଦ୍ଧି ପାଇବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଦାସ, କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲି, ଜିଲ୍ଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତିି, ବ୍ଲକ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ, ସରପଞ୍ଚ ସ୍ୱାଧୀନ ଭୂୟାଁ,ସୁଶାନ୍ତ ସେଠୀ,ସନ୍ନ୍ୟାସୀ ସ୍ୱାଇଁ,ବିଶ୍ୱଭୂଷଣ ନାୟକ,ଚିନ୍ମୟୀ ବେହେରା,ପୂର୍ବତନ ସରପଞ୍ଚ ସରୋଜ ବେହେରା,ଦିଲ୍ଲୀପ ବିଶ୍ୱାଳ,ସୁନାକର ସାହୁ,ଗୋବିନ୍ଦ ଦାସ,ହିମାଂଶୁ ଦାସ,ବଳଦେବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।