Onn 3

ଧୂନିବାଡ଼ିରେ ମକରମେଳା

Religion and Cult State

ଆଗରପଡ଼ା : ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅର୍ନ୍ତଗତ କୁଆଁର୍ଦା ସ୍ଥିତ ଧୂନିବାଡ଼ିରେ ମକର ମେଳା ମହା ଆଡ଼ମ୍ବରରେ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ସହଯୋଗରେ ମକର ସଂକ୍ରାନ୍ତି ଠାରୁ ଏହି ମେଳା ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଦିନ ବ୍ଲକର ବିଭିନ୍ନ ଅଂଚଳରୁ ହଜାର ହଜାର ଲୋକଙ୍କ ଉକ୍ତ ପୀଠରେ ସମାଗମ ହୋଇଥିଲା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବୈଷ୍ଣମ୍ବ ଦାସ ଓ ଗଜେନ୍ଦ୍ର ମୁଖି ମା’ଙ୍କ ଯଥାରିତି ପୂଜାର୍ଚ୍ଚନା କରିଥିଲେ । ପୀଠରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ରହ୍ମାନନ୍ଦ ଭୂୟାଁ, ଉପେନ୍ଦ୍ରନାଥ ପାତ୍ର, ଉମାକାନ୍ତ ପାତ୍ର, ନାରାୟଣ ଭୂୟାଁ, ରମାକାନ୍ତ ରାଉତ୍‌, ପଂଚାନନ ମୁଖୀ, ବାବାଜୀ ଦାସ, ନିତ୍ୟାନନ୍ଦ ଜେନା, ରବିନ୍ଦ୍ର ଦଳେଇ, ରବିନ୍ଦ୍ର ମହାପାତ୍ର, ବାବାଜୀ ଚରଣ ଆଇଚ, ସିଦ୍ଦେଶ୍ୱର ଜେନା, ନାରାୟଣ ପାତ୍ର, ରବିନ୍ଦ୍ର କୁମାର ମୁଦୁଲୀ, କାର୍ତ୍ତୀକ ଚରଣ ଧଳ, ଅଭିମନ୍ୟୁ ଆଇଚ, ମଧୁସୂଦନ ପାତ୍ର, ରତ୍ନାକର ଜେନା ଓ ଲକ୍ଷ୍ମୀଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଚଳିତ ବର୍ଷ ସ୍ଥାନୀୟ ସରପଂଚ ମୀନାରାଣୀ ଜେନାଙ୍କ ଉଦ୍ୟମରେ ଉକ୍ତ ପୀଠର ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ସଂପାଦନା ହୋଇଥିଲା । ଏଥିରେ ତାଙ୍କ ସ୍ୱାମୀ ତଥା ବରିଷ୍ଠ ନେତା ବିଜୟ ଜେନା ,ସମିତିସଭ୍ୟା ପ୍ରମିଳା ଭୂୟାଁ ଓ ତାଙ୍କ ସ୍ୱାମୀ ନାରାୟଣ ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍‌ଘାଟନ ମକର ସଂକ୍ରାନ୍ତି ଦିନ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜଙ୍କ ସହ ସ୍ଥାନୀୟ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଜନଶୃତି କହିବା ଅନୁଯାୟୀ : ଦୁଇଶହ ବର୍ଷ ପୂର୍ବେ ଗ୍ରାମର ଦକ୍ଷିଣ ପଶ୍ଚିମ ଦିଗରେ ଏକ ଜଙ୍ଗଲ ଥିଲା ସେହି ଜଙ୍ଗଲ ମଧ୍ୟରେ କର୍ଦ୍ଦମ ନାମକ ଜଣେ ଋଷି ଏକ ପୋଖରୀ କୂଳରେ ଦପସ୍ୟା କରୁଥିଲେ । ସେଠାରୁ ଅନତି ଦୂରରେ ସଙ୍କଟ ନାମକ ଏକ ରାକ୍ଷସ ରହୁଥିଲା । ସେ ସବୁବେଳେ ଋଷିଙ୍କ ଦପସ୍ୟାରେ ବିଘ୍ନ ଘଟାଉଥିଲା ।

ସେହି ସମୟରେ ଗ୍ରାମର ଚାଷିମାନେ ଚାଉଳ ବିକ୍ରି ପାଇଁ ସେତେବେଳେ ଦଳବଦ୍ଧ ହୋଇ ବଳଦରେ ଚାଉଳ ଲଦି ସେହି ଜଙ୍ଗଲ ଦେଇ ଝାଡ଼ଖଣ୍ଡ ଯାଉଥିଲେ । ଥରେ ଝାଡ଼ଖଣ୍ଡରୁ ଫେରିବା ରାସ୍ତାରେ ଜଙ୍ଗଲ ମଝିରେ ସଂଧ୍ୟା ହୋଇଯାଇଥିଲା । ଚାଷୀମାନେ ଭୟଭୀତ ହୋଇ ଏକ ସ୍ୱରରେ ମା ବନଦେବୀଙ୍କୁ ଡ଼ାକିଥିଲେ । ବନଦେବୀ ସେମାନଙ୍କ ଡ଼ାକରା ଶୁଣି ତାଙ୍କ ପାଖରେ ପହଂଚି ସେମାନଙ୍କୁ ଜଙ୍ଗଲ ପାର କରିବା ସହିତ ସେମାନଙ୍କ ସାଙ୍ଗରେ ଥିବା ବଳଦ ଲଞ୍ଜରେ ଏକ ଜ୍ୟୋତି ଆକାରରେ ଏହି ଗ୍ରାମରେ ଆସି ପହଂଚିଥିଲେ । ସେତେବେଳକୁ କର୍ଦ୍ଦମ ଋଷି ଯଜ୍ଞ କରୁଥିଲେ । ତାଙ୍କ ଯଜ୍ଞରେ ସଂକଟ ରାକ୍ଷସ ବିଘ୍ନ ଘଟାଇ ଥିଲା । ଠିକ୍ ଏହି ସମୟରେ ସେହି ଜ୍ୟୋତି ପ୍ରକଟ ହୋଇ ରାକ୍ଷସକୁ ଉକ୍ତ କାର୍ଯ୍ୟରୁ ନିବୃତ୍ତ କରାଇଥିଲେ । ସେହି ଦିନ ଠାରୁ ଉକ୍ତ ଜ୍ୟୋତି ଧୂନି ଠାକୁରାଣୀ ନାମରେ ସେହି ଜାଗାରେ ବିରାଜିତ ହୋଇ ପୂଜା ପାଇବା ସହ ଉକ୍ତ ସ୍ଥାନର ନାମ ଧୂନି ବାଡ଼ି ନାମରେ ନାମିତ ହେଲା । କର୍ଦ୍ଦମ ଋଷିଙ୍କ ନାମାନୁସାରେ ଉକ୍ତ ଗ୍ରାମର ନାମ କୁଆଁର୍ଦା ରଖାଗଲା । ସେହି ଆବାହମାନ କାଳରୁ ଧୂନି ଠାକୁରାଣୀ ପୂଜା ପାଇ ଆସୁଥିବା ବେଳେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଧୂମ୍ ଧାମ୍ ରେ ମକର ମେଳା ଅନୁଷ୍ଠିତ ହୋଇଥାଏ । ଆଖପାଖ ଅଂଚଳର ଲୋକ ବିପଦରେ ପଡ଼ିଲେ ତତ୍‌କ୍ଷଣାତ୍ ଏହି ପ୍ରତ୍ୟେକ୍ଷ ଧୂନି ଠାକୁରାଣୀଙ୍କୁ ସ୍ମରଣ କରିଥାନ୍ତି ଓ ମା’ ତାଙ୍କ ଡ଼ାକ ଶୁଣିଥାନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।