Photo For The News Of Dustbin

କାମରେ ଲାଗୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର; ତଥାପି ଚାଲିଛି ନିର୍ମାଣ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର କୌଣସି କାମରେ ଲାଗୁନଥିବା ଅଭିଯୋଗ ହେବା ସହ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ବିଭିନ୍ନ ପଂଚାୟତରେ ନୂତନ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ ହେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସରକାର ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆବର୍ଜନା ପୃଥକୀ କରଣ କେନ୍ଦ୍ର ଉକ୍ତ ଯୋଜନାର ଏକ ଅଂଶ ବିଶେଷ । ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଏକଲକ୍ଷ ଟଙ୍କା ବ୍ୟୟରେ ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ଆବର୍ଜନା ପୃଥକୀ କରଣ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ନିର୍ମାଣକୁ ୨ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ବିଭିନ୍ନ ପଂଚାୟତରେ ଏହା ତାର ମୂଳ ଲକ୍ଷ ଠାରୁ ବହୁ ଦୂରରେ ରହିଯାଇଥିବା ବେଳେ ଛୟାଳସିଂହ ପଂଚାୟତର ଛଆଳସିଂହ ଗ୍ରାମରେ ନିର୍ମିତ କେନ୍ଦ୍ରର ଅଧା ଛାତ(ଆଜବେଷ୍ଟସ)ଉଡ଼ି ଯାଇଥିବା ଦେଖା ଯାଇଥିବା ବେଳେ । ଅନ୍ୟ ପଂଚାୟତରେ ନିର୍ମିତ କେନ୍ଦ୍ର କାମରେ ଲାଗି ନପାରି କେବଳ ଶୋଭା ବର୍ଦ୍ଧନ କରୁଛି । ସୂନ୍ଦର ରଙ୍ଗ କାମକୁ ତିନି ଗୋଟି ଅଲଗା ଅଲଗା କୋଠରୀ ନିର୍ମାଣ କରାଯାଇଥିବା ବେଳେ ନିର୍ମିତ କେନ୍ଦ୍ରର କାନ୍ଥ ଚାରିପଟେ ଏହାର ଉପଯୋଗିତା ଉପରେ ବ୍ୟଙ୍ଗ ଚିତ୍ର ମଧ୍ୟ ଅଙ୍କା ଯାଇଛି ।

କିନ୍ତୁ ନିର୍ମାଣକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଏହା କାମରେ ଲାଗି ପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପର ପକ୍ଷରେ କାଦବରାଙ୍ଗ ପଂଚାୟତରେ ନିର୍ମିର କେନ୍ଦ୍ରଟି କାଦବରାଙ୍ଗ ବଜାର ଅଂଚଳରେ ନିର୍ମିତ ହୋଇଥିବାରୁ ବଜାର ଅଂଚଳ ସ୍ୱଚ୍ଚ ରହିବାରେ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ବେଳେ କୁଣ୍ଡ ପଡ଼ିଛି ଫାଙ୍କା କିନ୍ତୁ ବାହାରେ ଗଦା ଗଦା ଅଳିଆ ପଡ଼ି ପରିବେଶକୁ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି । ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ଏହାର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପ୍ରକଳ୍ପର ସଫଳ ରୂପାୟନ ହୋଇପାରୁନଥିବା ଉକ୍ତ ପ୍ରକଳ୍ପକୁ ଦେଖିଲେ ସ୍ପଷ୍ଟ ବାରୀ ହୋଇ ପଡ଼ୁଛି । ବିଭିନ୍ନ ପଂଚାୟତରେ ଏହା କାର୍ଯ୍ୟକ୍ଷମ ହୋଇପାରୁନଥିବା ବେଳେ ବର୍ତ୍ତମାନ ଓଡ଼ଙ୍ଗ ପଂଚାୟତରେ ଏକ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ କରିବା କେତେ ଦୂର ଯୁକ୍ତି ସଙ୍ଗତ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ନିର୍ମାଣ ହୋଇଛି ସତ କିନ୍ତୁ ନିର୍ମାଣ ସ୍ଥାନରେ କୌଣସି ସୂଚନା ଫଳକ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ । ଯାହାକି ସ୍ୱଚ୍ଛ ଭାରତର ସ୍ୱଜ୍ଝତା ପ୍ରତି ଉପହାସ ସଦୃଶ ହୋଇଛି । ତେଣୁ ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ନିର୍ମିତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପରେ ନୂତନ ପ୍ରକଳ୍ପ ନିର୍ମାଣ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।