Onn 3

ଓକିଲଙ୍କୁ ଚୁପ୍‌ କରାଇଲେ ପ୍ରଧାନ ବିଚାରପତି

National & International

supre

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଆଜି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ମାମଲାର ଶୁଣାଣି ବେଳେ ଜନୈକ ଆଇନଜୀବୀଙ୍କ ଉପରେ ହଠାତ୍‌ ରାଗି ଯାଇଥିଲେ। ଆବେଦନ ତାଲିକାଭୁକ୍ତ କରିବା ମାମଲାରେ କଥା କଟାକଟି ହେବାରୁ ସିଜେଆଇ ଚନ୍ଦ୍ରଚୂଡ଼ ଉକ୍ତ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅଦାଲତକୁ ଡରାଇବା ଓ ଧମକାଇବା ଚେଷ୍ଟା ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ। ଓକିଲ ଜଣକ ଯୁକ୍ତି ଆରମ୍ଭ କରିବାରୁ ପ୍ରଧାନ ବିଚାରପତି ତାଙ୍କୁ ପଚାରିଥିଲେ-‘ ଆପଣ ସାଧାରଣତଃ କେଉଁଠି ପ୍ରତିନିଧିତ୍ବ କରନ୍ତି? ଆପଣ ଜାଣନ୍ତି ଆପଣ କେଉଁଠି ଛିଡ଼ା ହୋଇଛନ୍ତି। କ’ଣ ଆପଣ ପ୍ରତ୍ୟେକ ଥର ବିଚାରପତିଙ୍କ ପ୍ରତି ଏଭଳି ଚିତ୍କାର କରିଥାନ୍ତି? ଆପଣ ପ୍ରଥମେ ଆପଣଙ୍କ ସ୍ବର କମାନ୍ତୁ।
ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବଡ଼ ପାଟିରେ ଗର୍ଜନ କରି ଆମକୁ ଡରାଇପାରିବେ, ତା’ହେଲେ ଆପଣ ଭୁଲ୍‌ କରୁଛନ୍ତି। ଏଭଳି ଘଟଣା ୨୩ ବର୍ଷ ଭିତରେ ହୋଇନାହିଁ ଏବଂ ମୋର କ୍ୟାରିୟରର ଶେଷ ବର୍ଷରେ ମଧ୍ୟ ଏଭଳି ହେବନାହିଁ।’ ସିଜେଆଇ ଏହା କହିବା ଭିତରେ ବି ଉକ୍ତ ଓକିଲ ଜଣକ ତାଙ୍କ ଯୁକ୍ତି ରଖିବାକୁ ପ୍ରୟାସ କରିବାରୁ ସିଜେଆଇ କ୍ରୋଧିତ ହୋଇ କହିଥିଲେ-‘ଚୁପ୍‌, ଏକଦମ୍‌ ଚୁପ୍ ରୁହନ୍ତୁ। ଆପଣ ଏବେ ଏହି ଅଦାଲତ ଛାଡ଼ନ୍ତୁ। ଆପଣ ଆମକୁ ଡରାଇପାରିବେ ନାହିଁ।’ ସିଜେଆଇଙ୍କ ଏଭଳି କଡ଼ା ପ୍ରତିକ୍ରିୟା ଦେଖି ଉକ୍ତ ଓକିଲ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଅଧିକ ବିନମ୍ର ହୋଇ ନିଜ ପକ୍ଷ ରଖିଥିଲେ।
ଏହା ପୂର୍ବରୁ ମଧ୍ୟ କୋର୍ଟ ରୁମ୍‌ରେ ଓକିଲଙ୍କ ଆଚରଣ ନେଇ ସିଜେଆଇଙ୍କ କଡ଼ା ପ୍ରତିକ୍ରିୟା ରଖିଥିବା ନଜିର ରହିଛି। ୧୬ ଅକ୍ଟୋବର ୨୦୨୩ରେ ଜଣେ ଓକିଲ ମୋବାଇଲରେ କଥା ହେଉଥିବାରୁ ସିଜେଆଇ ରାଗି ଯାଇଥିଲେ ଏବଂ ତାଙ୍କୁ କହିଥିଲେ, ଏହା କ’ଣ ବଜାର କି? ଏହା ସହିତ ତାଙ୍କ ମୋବାଇଲ ନେଇଯିବା ପାଇଁ ନିଜ କର୍ମଚାରୀଙ୍କୁ କହିଥିଲେ। ଏହାପରେ ଉକ୍ତ ଓକିଲ କ୍ଷମା ପ୍ରାର୍ଥନା କରିଥିଲେ। ମାର୍ଚ୍ଚ ୨୦୨୩ରେ ମଧ୍ୟ ପ୍ରଧାନ ବିଚାରପତି ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କୁ ଭର୍ତ୍ସନା କରି କୋର୍ଟ ରୁମ୍‌ରୁ ବାହାରିଯିବାକୁ କହିଥିଲେ। ଏକ ଜମିଜମା ମାମଲାରେ ଶୁଣାଣି ତାରିଖ ନେଇ ଓକିଲ ଉଚ୍ଚ ସ୍ବରରେ ଯୁକ୍ତି କରିବାରୁ ସିଜେଆଇ ରାଗିଯାଇଥିଲେ।