Onn 3

ଦାୟିତ୍ବ ନେ‌‌ଲେ ଭାରପ୍ରାପ୍ତ ଡିଜି ଅରୁଣ ଷଡ଼ଙ୍ଗୀ

State

230504181554437

କଟକ: ୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ଆଜି କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନିଲ ବଂଶଲଙ୍କଠାରୁ ସେ ଆଜି ଦାୟିତ୍ବଗ୍ରହଣ କରିଛନ୍ତି। ଶ୍ରୀ ବଂଶଲ ଆଜି ଅବସର ନେଇଥିବା ବେଳେ ତାଙ୍କୁ ଆଜି ବିଧିବଦ୍ଧ ଭାବେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ଉଭୟ ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ବଂଶଲ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ସେମାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଦାୟିତ୍ବ ନେବା ଅବସରରେ କାର୍ଯ୍ୟକାରୀ ଡିଜି ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ରହିଛି। ତେଣୁ ଏହାକୁ ଅକ୍ଷୁଣ୍ଣ ରଖିବା ସହିତ ରାଜ୍ୟବାସୀଙ୍କୁ ଏକ ଗୁଣାତ୍ମକ ପୁଲିସ ସେବା ଯୋଗାଇ ଦେବା ପାଇଁ ସେ କାର୍ଯ୍ୟ କରିବେ। ‌ଅପରାଧ ମୁକ୍ତ ସମାଜ ଗଠନ କରିବା ପାଇଁ ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ରାଜ୍ୟର ପୁଲିସ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ସେ କାମନା କରିଥି‌ଲେ। ରାଜ୍ୟ ପୁଲିସ ଅତୀତରେ ଅନେକ ସଫଳତା ହ‌ାସଲ କରିଛି। ମାଓ ଦମନ, ସାଇବର ଅପରାଧ ସମେତ ପୁଲିସ ଭିତ୍ତିଭୂମି ବିକାଶରେ ଅନେକ ସଫଳତା ପାଇଥିବା ଶ୍ରୀ ଷଡଙ୍ଗୀ କହିଥିଲେ।
ବିଦାୟ ନେବା ଅବସରରେ ଡିଜି ଶ୍ରୀ ବଂଶଲ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ‌ସେବା କରିବାର ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସ ଭଲ ପ୍ରଦର୍ଶନ କରିଛି। ଯାହାଫଳରେ ରାଜ୍ୟରେ ସେଭଳି କିଛି ବଡ ଅଘଟଣ ଘଟାଇବାର ସୁଯୋଗ ମାଓବାଦୀଙ୍କୁ ମିଳି ନାହିଁ। ନୂଆ କାର୍ଯ୍ୟକାରୀ ଡିଜି ଶ୍ରୀ ଷଡଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମି (ବିପିଏସପି)ର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ନୂଆ ଡିଜିପି କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ତ‌ାଳଚେର ଏସଡିପିଓ ଭାବେ ଚାକିରି ଆରମ୍ଭ କରିଥିବା ଶ୍ରୀ ଷଡଙ୍ଗୀ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର ଭୁବନେଶ୍ବର ଓ ରାଉରକେଲା ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ଡିଆଇଜି କ୍ରାଇମବ୍ରାଞ୍ଚ, ଉତ୍ତର‌‌ାଞ୍ଚଳ କେନ୍ଦ୍ରୀୟ ରେଂଜ ଡିଆଇଜି, ଆଇଜି ଆଇନଶୃଙ୍ଖଳା ଭାବେ କାର୍ଯ୍ୟ କରି ଶ୍ରୀ ଷଡଙ୍ଗୀ ତାଙ୍କ ଦକ୍ଷତାର ସ୍ବତନ୍ତ୍ର ପରିଚୟ ଦେଇ ଆସିଛନ୍ତି।