Onn 3

ଆଲୋଚନା ପରେ ସମସ୍ତ କଲେଜର ତାଲା ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କଲା ମାରିସା

State

ବାରିପଦା :ଚଳିତ ଶିକ୍ଷାବର୍ଷ ଷ୍ଟେଟ୍ ସ୍କୋଲାର୍ସିପ୍ ପୋର୍ଟାଲ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଆବେଦନ ପାଇଁ ସୁଯୋଗ ପ୍ରଦାନ କରିବା ଏବଂ ଅନ୍‌ଲାଇନ୍ ଆବେଦନର ସମୟସୀମା ବୃଦ୍ଧି କରିବା ଦାବିରେ ଆଜି ମାରିସାର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ସଚିବାଳୟଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଉପ ନିର୍ଦ୍ଦେଶିକା ସଂଙ୍ଘମିତ୍ରା ଦାସଙ୍କ ସହ ଆଲୋଚନା କରିବାପରେ ୨୯ ତାରିଖ ଦିନ ହେବାକୁ ଯାଉଥିବା ମୟୂରଭଞ୍ଜ ଜିଲ୍ଲାର ସମସ୍ତ କଲେଜରେ ତାଲାବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି । ଯଥାଶୀଘ୍ର ଷ୍ଟେଟ୍‌ ସ୍କୋଲାର୍ସିପ୍ ପୋର୍ଟାଲ୍ ରେ ପରିବର୍ତ୍ତନ କରାଯାଇ ବେସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅନ୍‌ ଲାଇନ୍ ଆବେଦନର ସୁଯୋଗ ପ୍ରଦାନ କରାଯିବା ସହ ଛାତ୍ରବୃତ୍ତି ଆବେଦନ ସମୟସୀମା ବୃଦ୍ଧି କରାଯିବବୋଲି ଉପ ନିର୍ଦ୍ଦେଶିକା ପ୍ରତିଶୃତି ଦେଇଛନ୍ତି । ପ୍ରକାଶ ଥାଉକି ପୋର୍ଟାଲରେ କେବଳ କିଛି ମନୋନୀତ ସରକାରୀ କଲେଜପାଇଁ ଛାତ୍ରବୃତ୍ତି ଆବେଦନର ବିକଳ୍ପ ରହିଛି,ତେଣୁ ଅନ୍ୟ କଲେଜର ଛାତ୍ରମାନେ ଅନଲାଇନ୍ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଆଲୋଚନା ସମୟରେ ମାରିସା ରାଜ୍ଯ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ସଭାପତି ତୋଫାନ୍‌ ହେମ୍ବ୍ରମ୍ ଏବଂ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ତାରାଶ୍ ମାର୍ଣ୍ଡି ଉପସ୍ଥିତ ଥିଲେ । ତତ୍ ସହିତ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବା ଦାବୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁଙ୍କ ବ୍ୟକ୍ତିଗତ ସହାୟକଙ୍କୁ କମିଶନର ତଥା ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ସମସ୍ତ ମହାବିଦ୍ୟାଳୟରେ ନାମଲେଖା ଫି, ରି ଆଡ଼ମିଶନ ଫି ସହିତ ସମସ୍ତ ଫି ଦିନକୁ ଦିନ ବୃଦ୍ଧି ହେଉଥିବାବେଳେ ଛାତ୍ରବୃତ୍ତି ପୂର୍ବରୁ ଯେତିକି ଥିଲା ଏଯାବତ୍ ସେତିକି ହିଁ ରହିଅଛି। ଏହା ଆଦିବାସୀ ଛାତ୍ରଛାତ୍ରୀଙ୍କ ଫି ଦାଖଲ ସମୟରେ ସମସ୍ୟା ସୃଷ୍ଟି କରୁଅଛି। କାରଣ ଅନେକ ଆଦିବାସୀ ଛାତ୍ରଛାତ୍ରୀମାନେ ଏହି ଷ୍ଟାଇପେଣ୍ଡ ଉପରେ ନିର୍ଭର କରୁଥିବାବେଳେ, ପାଠପଢା ସମୟରେ ଏହି ସମସ୍ୟା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ମାନସିକ ସ୍ଥିତି ଦୋହଲାଇ ଦେଉଅଛି । ତେଣୁ ଏହାର ରାଶି ବୃଦ୍ଧି କରିବାକୁ ମାରିସା ପକ୍ଷରୁ ଦୃଢ ଦାବି କରାଯାଉଛି। ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ୍‌ ମୁର୍ମୁ ପ୍ରେସ୍‌ ବିବୃତି ମାଧ୍ଯମରେ ଚେତାବନୀ ଦେଇଛନ୍ତି ।