Onn 3

ହଳଦିଆ ବନ୍ଧର ଶୁଭ ଉଦ୍ଘାଟନ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ୨ୟ ପର୍ଯ୍ୟାୟ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

State

ବାରିପଦା: ରାଜ୍ୟର ଚାଷଜମିକୁ ଜଳସେଚନ ସୁବିଧାରେ ଆସୁଛି ରୂପାନ୍ତରଣ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ହଳଦିଆ ଗ୍ରାମ ନିକଟରେ ଥିବା ହଳଦିଆ ବନ୍ଧର ଶୁଭ ଉଦ୍ଘାଟନ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ୨ୟ ପର୍ଯ୍ୟାୟ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ ଏହି ମାଧ୍ୟମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ, ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇଥିଲେ। ଇତ୍ୟବସରରେ କୁଳିଅଣା ସ୍ଥିତ ହଳଦିଆ ବନ୍ଧ ଠାରେ ଆୟୋଜିତ ସାଧାରଣ ସଭାରେ, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀ ସୁଦାମ ମାର୍ଣ୍ଡି, ମାନ୍ୟବର ମନ୍ତ୍ରୀ,ଜଳ ସମ୍ପଦ ବିଭାଗ, ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏହି ସଭାରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଭାରତୀ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଥାଉକି, ଏହି ହଳଦିଆ ଜଳ ସେଚନ ବନ୍ଧର ନିର୍ମାଣ ପାଇଁ ସର୍ବମୋଟ ୩୨୨ କୋଟି ଟଙ୍କା ବୟ କରାଯାଇଥିବା ବେଳେ ସମୁଦାୟ ୨୦୦୦ କୋଟି ଟଙ୍କା ବୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ୨ୟ ପର୍ଯ୍ୟାୟ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରକଳ୍ପ ଯୋଜନା ମୟୂରଭଞ୍ଜ ବାସୀଙ୍କ ପାଇଁ ଏକ ଆଶୀର୍ବାଦ ବୋଲି କହିଥିଲେ। ନିଜ ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେଯେ ବାରିପଦା ଓ କୁଳିଅଣା ବ୍ଲକ୍‌ର ହଜାର ହଜାର ଚାଷୀ ବର୍ଷାତମାମ୍ ଜମିକୁ ପାଣି ପାଇବେ ଏବଂ ଏହି ବନ୍ଧ ନିର୍ମାଣ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ସ୍ବପ୍ନ ସାକାର କରିଥିବା ଯୋଗୁ ଧନ୍ୟବାଦ ଦେଇଥିଲେ। ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏହି ପ୍ରକଳ୍ପକୁ ଉଦ୍ଘାଟନ କରି ମୟୂରଭଞ୍ଜ ଜିଲ୍ଲାର ବହୁ ପ୍ରତିକ୍ଷିତ ଆଶାକୁ ପୂରଣ କରିବା ସହିତ ଚାଷୀଙ୍କର ଆଉ ପାଣି ଚିନ୍ତା ରହିବନି ବୋଲି କହି ଥିଲେ ଶ୍ରୀ ଭି.କେ. ପାଣ୍ଡିଆନ।କାର୍ଯ୍ୟକ୍ରମକୁ ଶ୍ରୀ ଭି.କେ. ପାଣ୍ଡିଆନ ସଂଯୋଜନା କରି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଳସେଚନର ଉନ୍ନତି ଓ ଚାଷୀଭାଇଙ୍କର ଉନ୍ନତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ।

ସୂଚନା ଯୋଗ୍ୟଯେ, ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨,୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫,୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

ଏହା ସହିତ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯,୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ । ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ।

ଏହି ଅବସରରେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ସବୁବେଳେ ମୋର ପ୍ରାଥମିକତା ହୋଇ ରହିଆସିଛି। ପ୍ରତିଦିନ ମୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କୁ ଭେଟୁଛି। ଚାଷୀମାନଙ୍କ ପାଇଁ ଆମର କଲ୍ୟାଣ କାର୍ଯ୍ୟକ୍ରମଗୁଡିକ ଭଲ ଭାବରେ କାମ କରୁଛି ବୋଲି ଜାଣି ମୁଁ ବହୁତ ଖୁସି। ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମାଗଣାରେ ଫସଲ ବୀମା, ଚାଷୀପରିବାର ପିଲାଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା ଏବଂ ଆହୁରି ଅନେକ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ସହିତ ଚାଷୀ ପରିବାର ଭଲ ଭାବରେ ଯୋଡି ହୋଇ ରହିଛନ୍ତି। ଆମର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମା’ମାନେ ସବୁଠୁ ଅଧିକ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ। ଆମର ନୂଆ କାର୍ଯ୍ୟକ୍ରମ ‘ଆମ ଓଡିଶା ନବୀନ ଓଡିଶା’ ଓ ‘ଲକ୍ଷ୍ମୀ’ ଯୋଜନା ଆଦିରୁ ଚାଷୀ ଭାଇଭଉଣୀମାନେ ସବୁଠାରୁ ଅଧିକ ଉପକାର ପାଇବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଏହି ଯୋଜନାରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଉଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଆମ ରାଜ୍ୟର ୮୦ ଭାଗରୁ ଉର୍ଦ୍ଧ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷ କ୍ଷେତ୍ର ହେଉ ବା ଜଳସେଚନ କ୍ଷେତ୍ର, ସବୁ କ୍ଷେତ୍ରର ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପ୍ରତି ଚାଷୀ ପାଖରେ ଏବଂ ପ୍ରତି ଚାଷ କ୍ଷେତରେ କିଭଳି ସୁରୁଖୁରୁରେ ପାଣି ପହଞ୍ଚିବ ସେ ବିଷୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜଳସେଚନ ବିକାଶ କ୍ଷେତ୍ରରେ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ। ପରିଶେଷରେ ସେଠାରେ ଉପସ୍ଥିତ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହି ଦୁଇ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାରେ କୃଷି କ୍ଷେତ୍ରରେ ବହୁ ଉନ୍ନତି ଘଟିବା ସହିତ ଆମ ଜିଲ୍ଲାର ଚାଷୀ ଭାଇଭଉଣୀମାନେ ଆର୍ଥିକ ସ୍ତରରେ ସଦୃଢ ହେବେ ।