Onn 3

ଶ୍ରୀପଦଗଞ୍ଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ଶ୍ରୀପଦ ଗଞ୍ଜ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ନଳିନି କାନ୍ତ ପ୍ରଧାନ, ମୁଖ୍ୟ ବକ୍ତା ପୂର୍ବତନ କାଉନସିଲର ସରୋଜ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଆଲୁମିନି ମେମ୍ବର ତଥା ଯୁବ ଉଦ୍ୟୋଗୀ ଦେବାଶିଷ ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ ତ୍ରିପାଠୀ ଏବଂ ସି.ଆର.ସି.ସି. କନକଲତା ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିଗଣ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ କିପରି ଗଠନ କରିପାରିବ ଏବଂ ପିଲାମାନେ ଏବେ କ୍ରୀଡା, ଶିକ୍ଷା ତଥା ଅନ୍ୟାନ୍ୟ ସହଶୈକ୍ଷିକ ଦିଗରେ ଭାଗନେଇ କିଭଳି ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିବେ, ସେହି ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରତ୍ନା ବାନାର୍ଜୀ ମଂଚ ପରିଚାଳନା କରିଥିଲେ ।

ଏହି ଅବସରରେ ଆୟୋଜିତ ଖେଳକୁଦ ପ୍ରତିଯୋଗିତାରେ ସୋନେର ସିଂ ବେଶ୍ରା ଚମ୍ପିୟାନ ହୋଇ ଏବଂ ଗତ ବର୍ଷ ଦଶମ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଥିବାରୁ ପୁରସ୍କୃତ ହୋଇଥିଲେ I ସିନିଅର ସଂଗୀତରେ ଦୃହିନ ସିଲ ଓ ଜୁନିଅରରେ ସ୍ନେହା ପୃଷ୍ଟି ପ୍ରଥମ ହୋଇଥିବା ବେଳେ ଡିବେଟରେ ପ୍ରିୟଙ୍କା ପାତ୍ର ଏବଂ ସୋନେର ସିଂ ବେଶ୍ରା ପୁରସ୍କୃତ ହୋଇଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାଏକ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ମିନତି ପଟ୍ଟନାୟକ ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିବା ବେଳେ ସୁଲୋଚନା ମଙ୍ଗରାଜ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଶିକ୍ଷକ ସନତ୍ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକ ଉତ୍ସବରେ ନିର୍ମଳା ଷଡଙ୍ଗୀ, ଲତିକେଶ୍ୱରୀ ସେଠୀ, ଉର୍ମିଳା ସେଠୀ, ଛବି ଘୋଷ, ମୁନି ହାଁସଦାଃ, ଯଶୋଦା ମହାନ୍ତ ବିନତା ସାହୁ, ସଞ୍ଜୟ ଦେ, ଓ ସରୋଜ ମହାନ୍ତ ଆଦି ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।