Onn 3

ମାରିସା ପକ୍ଷରୁ ଡିସେମ୍ବର ୨୯ରେ ମୟୂରଭଞ୍ଜର ସମସ୍ତ ମହାବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ

State

ବାରିପଦା: ବାରମ୍ବାର ଦାବି ସତ୍ତ୍ୱେ ମୟୂରଭଞ୍ଜ ଜିଲାର ଶତକଡ଼ା ୬୦ ଭାଗ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷର ଷ୍ଟାଇପେଣ୍ଡ ଆବେଦନରୁ ବଞ୍ଚିତ କରାଯାଇଛି । ପ୍ରତିବାଦରେ ଆଗାମୀ ଡିସେମ୍ବର ୨୯ ତାରିଖ ଦିନ ମୟୂରଭଞ୍ଜର ସମସ୍ତ ମହାବିଦ୍ୟାଳୟକୁ ତାଲାବନ୍ଦ କରାଯାଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ଘୋଷଣା କରିଛନ୍ତି । ଦର୍ଶାଯାଇଛି ଯେ ଆଦିବାସୀ ବହୁଳ ଏହି ଜିଲ୍ଲାର କଲେଜଗୁଡିକରେ ଗ୍ରାମାଞ୍ଚଳର ବହୁ ଗରିବ, ଅସହାୟ ଓ ଆଦିବାସୀ ପରିବାରର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଚଳିତ ଶିକ୍ଷାବର୍ଷ ଷ୍ଟେଟ୍ ସ୍କୋଲାର୍ସିପ ଅନ୍‌ଲାଇନ ଆବେଦନ ସମୟରେ ଗତ ନଭେମ୍ବର ୧୫ ତାରିଖଠାରୁ କେବଳ ସରକାରୀ ମହାବିଦ୍ୟାଳୟ ଗୁଡ଼ିକୁ ଛାଡି ଦେଲେ ଅନ୍ୟ ବେସରକାରୀ ମହାବିଦ୍ୟାଳୟର ନାମ ଅନଲାଇନ୍ ରେ ଆସୁନଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ଅନେକଥର ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ଏହାର କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଯାହାଫଳରେ ଓଡିଶା ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀମାନେ ଫର୍ମ ଆବେଦନରୁ ବଞ୍ଚିତ ହେଉଛନ୍ତି । ତତ୍ ସହିତ ସମସ୍ତ ମହାବିଦ୍ୟାଳୟରେ ନାମଲେଖା ଫି, ରି ଆଡ଼ମିଶନ ଫି ସହିତ ସମସ୍ତ ଫି ଦିନକୁ ଦିନ ବୃଦ୍ଧି ହେଉଥିବାବେଳେ ଛାତ୍ରବୃତ୍ତି ପୂର୍ବରୁ ଯେତିକି ଥିଲା ଏଯାବତ୍ ସେତିକି ହିଁ ରହିଅଛି। ଏହା ଆଦିବାସୀ ଛାତ୍ରଛାତ୍ରୀଙ୍କ ଫି ଦାଖଲ ସମୟରେ ସମସ୍ୟା ସୃଷ୍ଟି କରୁଅଛି। କାରଣ ଅନେକ ଆଦିବାସୀ ଛାତ୍ରଛାତ୍ରୀମାନେ ଏହି ଷ୍ଟାଇପେଣ୍ଡ ଉପରେ ନିର୍ଭର କରୁଥିବାବେଳେ, ପାଠପଢା ସମୟରେ ଏହି ସମସ୍ୟା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ମାନସିକ ସ୍ଥିତି ଦୋହଲାଇ ଦେଉଅଛି । ଏନେଇ ପୂର୍ବରୁ ବହୁବାର ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ବ୍ୟବସ୍ଥା ନ ହେବା ଦୁର୍ଭାଗ୍ୟଜନକ । ଏହି କାର୍ଯ୍ୟକ୍ରମରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମାର୍ଣ୍ଡି , ଜିଲ୍ଲା ଉପସଭାପତି ରବିନ୍ଦ୍ର ମାର୍ଣ୍ଡି, ଗାଲୁରାମ ମୁର୍ମୁ, ସର୍ଦାର ସୋରେନ୍, ତାରାଶ୍ ହେମ୍ବ୍ରମ, ଛୋଟରାୟ ମୁର୍ମୁ, ସରକାର ସୋରେନ୍, ମୁନା ସିଂ, ସଞ୍ଜୟ ସିଂ, ପଦ୍ନ ବାସ୍କେ ପ୍ରମୁଖ ସାମିଲ ଥିଲେ ।