Onn 3

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ, ଗୋରୁଗାଈଙ୍କ ଚରାଭୂଇଁ ପାଲୋଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

State

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାକୁ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରଣୟନ କରୁଥିବା ବେଳେ ସେସବୁ ଯୋଜନାର ସଫଳ ବିନିଯୋଗ ହୋଇପାରୁ ନଥିବାର ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ଲୋକଙ୍କ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲେ ସୁଦ୍ଧା କଂକ୍ରିଟ ରାସ୍ତାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଙ୍ଗଳା ପକାଯାଉଥିବା ଦେଖିବାକୁ ମିଳିଛି । ଏଥିନେଇ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବାରେ ପ୍ରଶାସନ ସଂପୂର୍ଣ୍ଣ ଫେଲ ମାରିଛି । କୂମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶସନ ଶୋଇ ରହିଥିବାରୁ ବର୍ତ୍ତମାନ ଗୋରୁ ଗାଈଙ୍କ ଚରାଭୂଇଁ ପାଲୋଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ । ଉକ୍ତ ସଡ଼କର ବିଭିନ୍ନ ସ୍ଥ।।ନରେ ଗାଈଗୋରୁମାନେ ବହୁଳ ଭାବରେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରି ବେଙ୍ଗଳା ପଡ଼ିଥିବା ନଡ଼ା ଖାଉଥିବାର ଦେଖିବାକୁ ମିଳିଛି । ଯଦ୍ୱାରା ଗମନାଗମନରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି ।

ସରକାର ବେଙ୍ଗଳା ପାଇଁ ବିଭିନ୍ନ ପଂଚାୟତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁନାଖଳା ନିର୍ମାଣ କରିଥିଲେ ସୁଦ୍ଧା ଏହି ଖଳାର ସଦୁପଯୋଗ ହୋଇପାରୁ ନାହିଁ । ସୁନାଖଳା ଥିବା ବେଳେ ଲୋକେ ଖଳାରେ ବେଙ୍ଗଳା ନକରି ରାସ୍ତାରେ ବେଙ୍ଗଳା କରିବା ପ୍ରଶାସନର କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ସଚେତନତାର ଅଭାବ ଯୋଗୁଁ ବର୍ତ୍ତମାନ ବେଙ୍ଗଳା ପାଇଁ ବଳଦ ପରିବର୍ତ୍ତେ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ବେଳେ ଖଳାରେ ବେଙ୍ଗଳା ହେବା ପରିବର୍ତ୍ତେ ସଡ଼କରେ ବେଙ୍ଗଳା ହେଉଛି । ଯାହାକି ସରକାରଙ୍କ ଯୋଜନା ପ୍ରତି ଉପହାସ ସୃଷ୍ଟି କରୁଛି । ତେଣୁ ଗମନାଗମନରେ ସୁରକ୍ଷାକୁ ଆଖି ଆଗରେ ରଖି ଓ କୃଷି କ୍ଷେତ୍ରରେ ସରକାର ପ୍ରଣୟନ କରିଥିବା ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।