Onn 3

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨ ରୁ ଫେରିପାରେ ବର୍ଷା

State

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ଆସନ୍ତା ସେପ୍ଟେମ୍ବର ୪ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ ୩ ତାରିଖରୁ ବଢିବ ବର୍ଷାର ବିସ୍ତୃତି। ସେପ୍ଟେମ୍ବର ୨ ଓ ୪ ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ଦିନରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମୌସୁମୀ ନିମ୍ନ ଚାପ ରେଖା ତାର ସାଧାରଣ ଅବସ୍ଥାନଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ହିମାଳୟର ପାଦଦେଶରେ ଅବସ୍ଥାନ କରୁଛି। ତେଣୁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୯ ମିମି ତୁଳନାରେ ୯୮% କମ ରହିଛି।