ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍ଣରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର ରାସ୍ତାରେ ଯାଉଥିବା ଅଟୋକୁ ଏକ ବାଇବୋଝେଇ ହାଇୱା ଚାପିଦେଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ରବିବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ୨ଟି ପରିବାରର। ସେମାନେ ହେଲେ ମୁନସନ ଖାତୁନ (୪୮), ତାଙ୍କ ନାତୁଣୀ ଇନାୟତ (୪)। ଆଉ ଗୋଟିଏ ପରିବାରର ମା ଇସରତ ଖାତୁନ (୪୨), ତାଙ୍କ ଝିଅ ମୁସ୍କାନ (୧୯)। ଅଟୋ ଚାଳକ ମହମ୍ମଦ ସଜାଦ। ଇସରତଙ୍କ ଅନ୍ୟ ଏକ ଝିଅ ସୋନି (୧୪) ଗୁରୁତର ହୋଇଛନ୍ତି। ଅନ୍ୟପଟରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ସଦରଥାନା ବାଲିଯୋରି ଛକ ଓ ଦୁର୍ଘଟଣାସ୍ଥଳ (ତେଲେନଡିହି)ରେ ରାସ୍ତାରୋକ କରିଛନ୍ତି। ଫଳରେ ଶହଶହ ଯାନବାହନ ଅଟକି ରହିଛି।
ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ଅଧୀନ ବଗିଚାପଡ଼ାର କିଛି ଲୋକ ଆଜି ପୂର୍ବାହ୍ଣରେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେମାନେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ସେମାନଭ୍କୁ ଏକ ହାଇୱା ଭାରସାମ୍ୟ ହରାଇ ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହାଇୱାଟି ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିବା ପରେ ଟ୍ରଲିରୁ ଏହାର ଇଞ୍ଜିନ ଛିଣ୍ଡିପଡ଼ି ଅଲଗା ହୋଇଯାଇଥିଲା। ସେହିପରି ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଅଟୋ ମଧ୍ୟ ବିଲଭିତରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳା ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଟାଉନଥାନା ବଗିଚାପଡ଼ାର ସୂଚନା।