Onn 3

ପେଶାରେ ଗାଡ଼ିଚାଳକ ; ୧୦ବର୍ଷ ହେବ ମାଗଣା ଶିକ୍ଷାଦାନ କରୁଛନ୍ତି ନାରାୟଣ

State

ନିଶ୍ଚିନ୍ତକୋଇଲି : ଆର୍ôଥକ ସଂକଟ ରେ ପଡ଼ି ନିଜେ ଉଚ୍ଚ ଶିକ୍ଷିତ ହୋଇପାରିନଥିବା ବେଳେ ସମାଜରେ ଅବହେଳିତ ଓ ଦରିଦ୍ର ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଜଣେ ଉତ୍ସାହୀ ଯୁବକ । ପ୍ରତ୍ୟେକ ଦିନ ଗାଡ଼ି ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ବେଳେ ବଳକା ସମୟରେ ବିଭିନ୍ନ ଗ୍ରାମକୁ ଯାଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କିଛି ଗରିବ ପିଲାଙ୍କୁ ଏକଜୁଟ କରାଇ ସେମାନଙ୍କୁ ପାଠ ପଢାଇ ବଡ଼ମଣିଷ ହେବା ପାଇଁ ପରାମଶି ଦେଇଥାନ୍ତି । ବହୁ ଛାତ୍ର ଛାତ୍ରୀ ତାଙ୍କ ଶିକ୍ଷାଦାନରେ ବିଭିନ୍ନ ଶ୍ରେଣୀରେ କୃତୀତ୍ୱର ସହିତ ଫଳାଫଳ କରି ଖୁସି ହୋଇଥାନ୍ତି । ଏହି ବ୍ଲକ ଅଧିନସ୍ଥ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର ଗ୍ରାମର ନାରାୟଣ ପ୍ରସାଦ ସିଂ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ଜୀବନରେ ବହୁ ସଂଗ୍ରାମ ସହ ସରକାରୀ ସ୍କୁଲ ଓ କଲେଜରେ ସ୍ନାତକ ଶିକ୍ଷା ଲାଭ କରିଥିଲେ । ପାଠ ପଢିବା ପାଇଁ ପ୍ରବଳ ଇଚ୍ଛାଶକ୍ତି ଥିଲେ ମଧ୍ୟ ଅର୍ଥ ଅଭାବରୁ ପାଠ ପଢି ଉଚ୍ଚଶିକ୍ଷା ଲାଭ କରିପାରିନଥିଲା ବେଳେ ପେଟ ପୋଶିବା ପାଇଁ ଗାଡ଼ି ଚାଳନା ଶିକ୍ଷା କରିଥିଲେ । ଦୀର୍ଘ ବର୍ଷ ହେବ ଚାଳକ ଭାବେ ବିଭିନ୍ନ ବେସରକାରୀ ବିଦ୍ୟାଳୟର ଗାଡ଼ି ଚଳାଉଛନ୍ତି । ଗାଡ଼ିରେ ସ୍କୁଲ ପିଲାମାନଙ୍କୁ ନେଉଥିବା ବେଳେ ତାଙ୍କର ଶିକ୍ଷାଦାନ କରିବା ପାଇଁ ଇଚ୍ଛା ହୋଇଥାଏ । ହେଲେ ବେସରକାରୀ ସ୍କୁଲରେ ତାଙ୍କୁ ଏହି ସୁଯୋଗ ମିଳେ ନାହିଁ ।

ସ୍କୁଲ ଛୁଟି ହେବା ପରେ ନିଜର ଦାୟିତ୍ୱ ସରିଗଲେ ସରକାରୀ ସ୍କୁଲରେ ପଢୁଥିବା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ପିଲାମାନଙ୍କୁ ପାଠ ପଢିବା ପାଇଁ ଲାଗିପଡ଼ନ୍ତି । ଏଭଳି ମହତ୍ତ୍ୱ କାର୍ଯ୍ୟ କରି ଏ ଅଞ୍ଚଳରେ ଘରେ ଘରେ ପରିଚିତ ହୋଇ ବେଶ ସୁନାମ ଅର୍ଜନ ମଧ୍ୟ କରିଛନ୍ତି । ସମସ୍ତେ ତାଙ୍କୁ ନାରାୟଣ ସାର ଭାବେ ଜାଣିଥିବାବେଳେ ତାଙ୍କର ଅମାୟିକ ବ୍ୟବହାର ଓ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କାର୍ଯ୍ୟକୁ ବେଶ ପ୍ରଶଂସା ମଧ୍ୟ କରିଥାନ୍ତି । ବହୁ ଗରିବ ପିଲାଙ୍କର ଭବିଷ୍ୟତ ଗଢିବା ଦାୟିତ୍ୱ ତାଙ୍କ ଉପରେ ଥିବାରୁ ନଜ ପରିବାର ପ୍ରତି ଅବହେଳା ପରିଲକ୍ଷିତ ହେଉଥିଲେ ମଧ୍ୟ ସେ ମନ ଦୁଃଖ କରନ୍ତି ନାହିଁ । ଏଭଳି ସେବାମୂଳକ କାର୍ଯ୍ୟ କରୁଥିବା ଯୁବକ ଙ୍କ ପାଇଁ ପ୍ରତ୍ସୋହନ ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯଦି ସରକାରଙ୍କ ପକ୍ଷରୁ କିମ୍ବା ବେସରକାରୀ ଅନୁଷ୍ଠାନରୁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇପାରନ୍ତା ତାହେଲେ ଶିକ୍ଷାଦାନ କ୍ଷେତ୍ରରେ ସେ ସମ୍ପୃର୍ଣ୍ଣ ଭାବେ ନିଜକୁ ନିୟୋଜିତ କରିପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି ।