Onn 3

୨୪ ପାଇଁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା

State

IMAGE_1702726038

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ଅନେକ ସମୟ ବାକି ରହିଛି। କିଏ ଟିକେଟ ପାଇବେ, କାହା ଟିକେଟ କଟିବ ସେନେଇ ସେମିତି କିଛି ଆଲୋଚନା ସାଧାରଣରେ ଆରମ୍ଭ ହୋଇନାହିଁ। ଏସବୁ ପାଇଁ ଆହୁରି ଢେର ସମୟ ଥିବା ବେଳେ ଅଦିନରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ଭୁବନେଶ୍ୱରର ୫୬ ନମ୍ବର ୱାର୍ଡର ଲେବର କଲୋନୀରେ ବିଜେଡିର ଜନ ସଂପର୍କ ଯାତ୍ରା ଅବସରରେ ସେ ଏହି ଘୋଷଣା କରିଥିଲେ। ସେ କହିଥିଲେ ଯେ ଆସନ୍ତା ଦିନରେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡିରୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନର ପ୍ରଶ୍ନ। ଏଣୁ ଶ୍ରୀମୟୀ ମିଶ୍ରଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ସମସ୍ତଙ୍କୁ ଯୋଡ଼ହସ୍ତରେ ଅନୁରୋଧ କରିଥିଲେ।
ଏହି ଅବସରରେ ସେ ଭୁବନେଶ୍ୱରର ବର୍ତ୍ତମାନର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନନେଇ ତାଙ୍କୁ ସମାଲୋଚନା କରିଥିଲେ। ଶ୍ରୀ ପଣ୍ଡା କହିଥିଲେ ଯେ ଗଲା ୫ ବର୍ଷ ହେଲାଣି ସବୁ ଖାଲି ରିପୋର୍ଟ କାର୍ଡରେ ରହିଗଲା। ସେ କାର୍ଡ କଳା କି ଧଳା କି ହଳଦିଆ, ତାହା ବି ଜଣାପଡ଼ିଲାନି।
ବିଜେଡିର ଏହି ଜନସଂପର୍କ ପଦଯାତ୍ରା ବେଳେ ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ। ସେହିଭଳି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉପସ୍ଥିତ ରହିଥିଲେ।
ଅନ୍ୟପକ୍ଷରେ ଏହି ଖବର ଗଣମାଧ୍ୟମରେ ଆସିବା ପରେ ଶ୍ରୀ ପଣ୍ଡା ପ୍ରାର୍ଥୀ ଘୋଷଣା କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ପ୍ରାର୍ଥୀ କଥା କହିନି। କିଏ ପ୍ରାର୍ଥୀ ହେବେ, ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀ ଆମ ସହ ବୁଲୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା ପାଇଁ ତାଙ୍କୁ ଜୟଯୁକ୍ତ କରିବାକୁ ଲୋକଙ୍କୁ କହିଥିଲି। ମୁଁ କେଉଁଠି ପ୍ରାର୍ଥୀ କଥା କହିନାହିଁ। କଥାକୁ କଦର୍ଥ କରାଯାଇଛି।