Onn 3

ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଭୁବନେଶ୍ବରରୁ ଗଲେ ମେଡିକାଲ ଟିମ୍‌

State

niranjan mishra

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ସଂକ୍ରମଣ ବ୍ୟାପିବା ଘଟଣା ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ ନିରଞ୍ଜନ ମିଶ୍ର କହିଛନ୍ତି, ସଂକ୍ରମଣ କ୍ଷେତ୍ରକୁ ରାପିଡ ରେସ୍‌ପନ୍ସ ଟିମ୍ ପଠାଇବାକୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ)ଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଭୁବନେଶ୍ବରରୁ ରାଉରକେଲାକୁ ମେଡିକାଲ ଟିମ୍‌ ଗସ୍ତ କରିଛନ୍ତି। ଜଣେ ବରିଷ୍ଠ ଡାକ୍ତର ନୋଡାଲ ଅଫିସର ଭାବେ ସେଠି କାମ କରିବେ। ସୁନ୍ଦରଗଡ଼ରୁ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ ରାଉରକେଲାରେ ନିୟୋଜିତ ଅଛନ୍ତି। ୨ରୁ ୪ ମୋବାଇଲ ହେଲ୍‌ପ ଦଳ ନିୟୋଜିତ ଅଛନ୍ତି। ଔଷଧ ସହ ଆବଶ୍ୟକୀୟ ସାମଗ୍ରୀ ନେଇ ସେମାନେ ଆବଶ୍ୟକସ୍ଥଳକୁ ଏହି ଟିମ୍ ଯିବ। ରାଉରକେଲା ସରକାରୀ ଡାକ୍ତରଖାନାରେ ବର୍ତ୍ତମାନ ୧୦୩ ଜଣ ରୋଗୀ ଚିକିତ୍ସା ହେଉଛନ୍ତି। ଆହୁରି ଅଧିକ ୫୦ଟି ଶଯ୍ୟା ସଂରକ୍ଷଣ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀ ମିଶ୍ର କହିଛନ୍ତି, ଇସ୍ପାତ ଜେନେରାଲ ହସପିଟାଲକୁ ମଧ୍ୟ ଚିକିତ୍ସା କରିବାକୁ କୁହାଯାଇଛି। ରାଉରକେଲା ମ୍ୟୁନିସପାଲକୁ ଜଳ ବିଶୋଧନ କରିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଅବଗତ କରିଛି। ପାଣି ପରୀକ୍ଷଣ ପାଇଁ ପାଣି ସଂଗ୍ରହ ହୋଇଛି। ଯେହେତୁ ରାଉରକେଲାର ବିଭିନ୍ନ ସ୍ଥାନରୁ ରୋଗୀ ଚିହ୍ନଟ ହୋଇଛନ୍ତି ଏଣୁ ଜଳ ସଂକ୍ରମିତରୁ ହେବା ଆଶଙ୍କା କରାଯାଉଛି। ଏହା ବ୍ୟତୀତ କୌଣସି ଭୋଜି ଭାତ କିମ୍ବା ଖାଦ୍ୟପେୟରୁ ହେବାର ସମ୍ଭାବନା ଥିବାରୁ ସେଥି ପ୍ରତି ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି। ୪ ଜଣଙ୍କର ଏଥିରେ ମୃତ୍ୟୁ ସୂଚନା ମଧ୍ୟ ରହିଛି ହେଲେ ତଦନ୍ତ ହେବା ପରେ ସତ୍ୟ ଜଣାପଡ଼ିବ।

ସୂଚନାଯୋଗ୍ୟ, ଉରକେଲାରେ ଝାଡ଼ାବାନ୍ତି ବ୍ୟାପିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାଛଡ଼ା ଶତାଧିକ ଆକ୍ରାନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୪ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଫୁଲତୋଲି ଗୌଡ଼(୨୩), ଉଦିତନଗରର ଅହଲ୍ୟା ନାୟକ(୭୦) ଏବଂ ନାନସି ଦୁବେ(୭୫)।