Onn 3

ଓଡିଶା କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍‍ କରିଛନ୍ତି ବିଜେପି ନେତା: ବିଜେଡି

Politics State

 

sanjk

ଭୁବନେଶ୍ୱର: ଦୁଇ ଦିନ ତଳେ ଆମେ କହିଥିଲୁ, ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି । ପ୍ରାଣପଣେ ବଞ୍ଚାଇବାକୁ ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି । ଲାଗୁଛି, ଓଡିଶା କଂଗ୍ରେସର ପ୍ରବକ୍ତା ହୋଇ, ଏଠି ଓଡିଶା ବିଜେପି କାମ କରୁଛି। ଏଭଳି କରିବାକୁ କ’ଣ ସେମାନଙ୍କୁ ଲଜ୍ଜା ଲାଗୁନି? କଂଗ୍ରେସକୁ ବଞ୍ଚାଇବାକୁ କାହିଁକି ଏତେ ବ୍ୟଗ୍ରତା ଦେଖାଉଛନ୍ତି ରାଜ୍ୟ ବିଜେପିର ନେତାମାନେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର।

ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜାତୀୟ ସ୍ତରରେ ବିଜେପିର ତୁଙ୍ଗ ନେତାମାନେ କଂଗ୍ରେସକୁ ଏହି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ଗିରିରାଜ ସିଂହ ପ୍ରମୁଖ ଜବତ ଟଙ୍କାକୁ ନେଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତି ତଳେ ବିଜେପି ସାଂସଦ ଧାରଣାରେ ବସି କଂଗ୍ରେସ ଠାରୁ ଜବାବ ମାଗୁଛନ୍ତି। ଝାଡଖଣ୍ଡ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି, ପ୍ରତିବାଦ ଚଳାଇଛନ୍ତି । ହେଲେ ଲାଗୁଛି କେନ୍ଦ୍ରମନ୍ତ୍ରୀ ହୋଇଥିବା ଓଡିଶାର ଜଣେ ବିଜେପି ନେତା ଯେମିତି ପ୍ରତିଜ୍ଞା କରିଛନ୍ତି, କଂଗ୍ରେସକୁ ପ୍ରାଣପଣେ ସୁରକ୍ଷା ଯୋଗାଇଦେବେ । କାହିଁକି ନା ଆମେ ଶୁଣିବାକୁ ପାଉଛୁ ନିର୍ବାଚନରେ ସାହାଯ୍ୟ କରିବାକୁ କୁଆଡେ ଏନେଇ ଏକ ଡିଲ୍‌ ହୋଇଛି ।

ବିଜେପିର ଜାତୀୟ ନେତାମାନେ କହୁଛନ୍ତି, ଜବତ ହୋଇଥିବା ଟଙ୍କା ଛତିଶଗଡ ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ରଖାଯାଇଥିଲା, ଯାହା ହୋଇପାରିନଥିଲା । ଆମେ ଆହ୍ୱାନ ଦେଉଛୁ, ବିଜେପିର ରାଜ୍ୟ ନେତା ସାହାସ ଦେଖାଇ କୁହନ୍ତୁ, ତାଙ୍କର ଜାତୀୟ ସ୍ତରର ନେତା ଦେଉଥିବା ବୟାନ ଭୁଲ । ସେମାନେ କହିପାରିବେ କି, ପଡୋଶୀ ଝାଡଖଣ୍ଡର ବିଜେପି ନେତା, କଂଗ୍ରେସକୁ ସମାଲୋଚନା କରି ଯେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି, ତାହା ମିଛ ଉପରେ ଆଧାରିତ?

ରାଜ୍ୟ ବିଜେପିର ନେତାଏଁ ନିଜର ଫେକ ନ୍ୟୁଜ ଫ୍ୟାକଟ୍ରୀରେ ସର୍ବଦା ମିଛ ଖବର ପ୍ରସ୍ତୁତ କରିବାରେ ବ୍ୟସ୍ତ ରୁହନ୍ତି । ଜାତୀୟ ସ୍ତରରେ ଓ ପଡୋଶୀ ରାଜ୍ୟରେ ନିଜ ଦଳର ନେତା କଣ କହୁଛନ୍ତି ସେମାନେ ଜାଣି ମଧ୍ୟ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତି । ବୋଧହୁଏ ସେମାନେ ଭାବନ୍ତି, ଓଡିଶାବାସୀ କିଛି ଜାଣିପାରୁନାହାନ୍ତି । ଏଭଳି ହୀନ ରାଜନୀତି ଜରିଆରେ ଡାହା ମିଛ କହି ସେମାନେ କଣ ଲାଭ ପାଉଛନ୍ତି? ସଚେତନ ଓଡିଶାବାସୀଙ୍କୁ ବୋଧହୁଏ ରାଜ୍ୟ ବିଜେପିର କିଛି ନେତା ବୋକା ଭାବିବା ଆରମ୍ଭ କରିଛନ୍ତି । ତେଣୁ ଡାହା ମିଛ ଆଉ ମନଗଢା କାହାଣୀ କହି, ଓଡିଶାକୁ ନିନ୍ଦିତ କରିବା ପୂର୍ବରୁ ବୋଧହୁଏ ଏମାନେ ନିଜର ଲାଜ ସରମ ବିକ୍ରି କରି ଦେଇଆସିଛନ୍ତି ।

ଆମେ ସେଥିପାଇଁ ବାରମ୍ବାର କହିଛୁ, ଓଡିଶା ବିଜେପି ନେତାମାନେ ଓଡିଶାକୁ ବଦନାମ କରିବାକୁ କୈାଣସି ମଉକା ହାତଛଡା କରିବାକୁ ଚାହାନ୍ତି ନାହିଁ । ଆଉ ଏହା ତାର ଅନ୍ୟ ଏକ ଉଦାହରଣ । ଡାହାମିଛ କହି ଓଡିଶାକୁ ବଦନାମ କଲେ କଣ ରାଜ୍ୟ ବିଜେପି ନେତାଙ୍କୁ ଖୁସି ମିଳୁଛି କି? ମିଛ କହିବା ଆଗରୁ ଟିକେ ଉପସ୍ଥିତି ବୁଦ୍ଧି ଖଟାଇଲେ ବିଜେପି ରାଜ୍ୟ ମୁଖପାତ୍ରଙ୍କୁ ଏଭଳି ଲଜ୍ଜିତ ହେବାକୁ ପଡିନଥାନ୍ତା । ଏଭଳି ହାସ୍ୟାସ୍ପଦ କଥା ପାଇଁ ରାଜ୍ୟବାସୀ ତ ବିଜେପି ଉପରେ ଯାହା ହସୁଛନ୍ତି ହସୁଛନ୍ତି, ରାଜ୍ୟ ବିଜେପିର କିଛି ନେତା ମଧ୍ୟ ଲଜ୍ଜିତ ଅନୁଭବ କରୁଛନ୍ତି । ଏହି ପ୍ରକାରର ରାଜନୀତି ଆପଣ ମାନେ କରିଚାଲନ୍ତୁ, ଲୋକେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଚାଲିବେ । ଲୋକଙ୍କୁ ବୋକା ବନାଇବାର ଏହି ପ୍ରୟାସ ଏବଂ କଂଗ୍ରେସର ବି- ଟିମ୍‌ ହୋଇ କାର୍ଯ୍ୟ କରିବାର ଜବାବ ଜନତା ଆଗାମୀ ଦିନରେ ଦେବେ । ଯେଉଁଭଳି ଗତ ପଂଚାୟତ ନିର୍ବାଚନରେ ଓଡିଶାରେ ବିଜେପିକୁ ଭୋଟ ହାରରେ ତୃତୀୟ ସ୍ଥାନକୁ ଠେଲି ଦୃଢ ଜବାବ ଦେଇଥିଲେ ଏବଂ ଠିକ୍‌ ସେହିଭଳି ଜବାବ ଆଗାମୀ ଦିନରେ ମଧ୍ୟ ମିଳିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।