Onn 3

ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି -ବିଜେପି

Politics State

 

WhatsApp-Image-2023-12-13-at-17.58.39-750x430

ଭୁବନେଶ୍ୱର: ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଟ ସର୍ମ୍ପକର କାରଣ କଣ ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ? ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା କାହିଁକି ଦିଆଯାଇଛି ? ଓଡିଶାରେ “ମଦର ମହାନଦୀ” କାହା ସ୍ୱାର୍ଥରେ ? ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ସରକାର ଚୁପ କାହିଁକି ? ଏମିତି କହି ଆଜି ବିଜେଡି ସରକାର ଉପରେ ଜୋରଦାର ବର୍ଷିଛି ବିଜେଡି ।

ଓଡିଶାରେ ମଦ ମାଫିଆଙ୍କ ଆଡ୍ଡା ଉପରେ ଆୟକର ବିଭାଗ ଦ୍ୱାରା ଚଢାଉରେ ବିପୁଳ କଳାଟଙ୍କା ଜବତ ଘଟଣାରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି । ଆଜି ଏକ ସାମ୍ବାଦିକ୍ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ କହିଛନ୍ତି,  ଯେଉଁ କମ୍ପାନୀ ଏହି ମଦ ଭାଟି ସବୁ ଚଲାଉଥିଲା ସେହି କମ୍ପାନୀ ସହିତ ସରକାରଙ୍କର କି ସର୍ମ୍ପକ ଅଛି ?   ସରକାର ସାଧାରଣ ଲୋକଙ୍କୁ ପିଇବା ପାଇଁ ପାଣି ଦେଇପାରୁନଥିବା ବେଳେ ମଦ କାରଖାନାକୁ ମହାନଦୀରୁ ପାଣି କେଉଁ ସ୍ୱାର୍ଥରେ ଦିଆଯାଉଛି  ବୋଲି ପ୍ରଶ୍ନ କରିବା ସହ ସ୍ପଷ୍ଟୀକରଣ ମାଗିଛି ବିଜେପି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସମ୍ବିଧାନର ୭ତମ ଅନୁଛେଦ ଅନୁସାରେ ମଦ ବିକ୍ରି ସମ୍ପର୍କିତ  ସମସ୍ତ ବିଷୟ ହେଉଛି ରାଜ୍ୟ ସରକାରଙ୍କ ବ୍ୟାପାର । ହେଲେ ସାରା ଦେଶ ଏବେ ଓଡିଶାର ମଦ ଭାଟି ଉପରେ ହୋଇଥିବା ଚଢାଉକୁ ନେଇ ହଲଚଲ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ପାଟି ନଖୋଲିବା ବଡ ଆଶ୍ଚର୍ଯ୍ୟର ବିଷୟ । “ମେକ ଇନ ଓଡିଶା”ରେ କିଭଳି ଓ କେଉଁ ପରିସ୍ଥିତିରେ ଏହି କମ୍ପାନୀକୁ ସାମିଲ କରାଯାଇଥିଲା ତାହା ମଧ୍ୟ ଆଉ ଏକ ବଡ ପ୍ରସଙ୍ଗ । ଓଡିଶାରେ ସରକାରଙ୍କର ଆଳୁ ମିଶନ, ପିଆଜ ମିଶନ ଆଦି ଫେଲ ହୋଇଥିଲା ବେଳେ ମଦ ମିଶନ କିନ୍ତୁ ବେଶ ସଫଳ ହୋଇଛି ।
ବିବାଦ ଭିତରେ ଥିବା ବୌଦ୍ଧ ଡିଷ୍ଟିଲାରିର ଓଡିଶାରେ ଦେଶି ମଦ ବେପାରରେ ଏକ ଚାଟିଆ ଆଧିପତ୍ୟ ରହିଛି । ଏହା ପଛରେ ସରକାରଙ୍କ ଅବକାରୀ ନୀତି ଦାୟୀ ବୋଲି ଅଭିଯୋଗ ଆଣିଛି ବିଜେପି।

ବିଜେପି କହିଛି, ଓଡିଶାରେ ଆଜି “ମଦର ମହାନଦୀ” ସୃଷ୍ଟି ହୋଇଛି । କେବଳ ବଲାଙ୍ଗିର ଜିଲ୍ଲାରେ ଅଛି ମୋଟ ୬୨ଟା ମଦ ଭାଟି । ଦିନକୁ ୮ ଲକ୍ଷ ଲିଟର ମଦ ବିକ୍ରି ହେଉଛି ଓଡିଶାରେ । “ନ୍ୟାସନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ” ଅନୁସାରେ ଗ୍ରାମାଂଚଳରେ ୩୦ ପ୍ରତିଶତ ଲୋକ ମଦ ପିଉଛନ୍ତି ।  ବିଜେଡି ବର୍ତମାନ ସମସ୍ତ ଆଂଚଳିକ ଦଳ ଭିତରେ ସବୁଠାରୁ ଧନି ଦଳ । ସେହି ଦଳ ପାଖରେ ଏତେ ପଇସା ଆସିଲା କେଉଁଠୁ? ଏହା କେଉଁ ମଦ ମାଫିଆଙ୍କ ଅର୍ଥ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।