ଧାରା ୩୭୦ ଉପରେ ଚାଲିଥିବା ବେଳେ ଖଣ୍ଡପୀଠରେ ଥିବା ଜଷ୍ଟିସ ସଞ୍ଜୟ କିଷନ କୌଲ ବଡ଼ ପରାମର୍ଶ ଦେଇଛନ୍ତି। ୧୯୮୦ ଠାରୁ ଜମ୍ମୁ-କଶ୍ମୀରରେ ଚାଲିଥିବା ମାନବାଧିକାର ଉଲ୍ଲଙ୍ଘନର ନିରପେକ୍ଷ ତଦନ୍ତ ସପକ୍ଷରେ ସେ ମତ ରଖିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରବାସୀଙ୍କ କ୍ଷତ ଭଲ ହେବା ଜରୁରୀ ବୋଲି ଜଷ୍ଟିସ କୌଲ ନିଜର ସ୍ୱତନ୍ତ୍ର ରାୟରେ କହିଛନ୍ତି।
ସେ କହିଛନ୍ତି, “ମୁଁ ଗୋଟିଏ ନିରପେକ୍ଷ ସତ୍ୟ ଓ ବୁଝାମଣା କମିଟି ଗଠନ କରିବା ସପକ୍ଷରେ ରହିଛି। ଏହି କମିଟି ଜମ୍ମୁ-କଶ୍ମୀରରେ ମାନାବାଧିକାର ଉଲ୍ଲଙ୍ଘନର ତଦନ୍ତ କରିବ ଓ ରିପୋର୍ଟ ଦେବ। ୧୯୮୦ ମସିହାରୁ ଉଭୟ ସରକାରୀ ଓ ବାହ୍ୟ ପ୍ରାୟୋଜିତ ତତ୍ତ୍ୱମାନଙ୍କ ଦ୍ୱାରା ହେଉଥିବା ମାନବାଧିକାର ଉଲ୍ଲଙ୍ଘନର ତଦନ୍ତ କରିବ। ଏଥିସହ ସମାଧାନ ପାଇଁ କମିଟି ପ୍ରସ୍ତାବ ମଧ୍ୟ ଦେବ।
ଆଗକୁ ଯିବାକୁ ହେଲେ କ୍ଷତ ଚିହ୍ନ ଭରିବା ଦରକାର। ଲୋକମାନେ ଆଭ୍ୟନ୍ତରୀଣ କଷ୍ଟକୁ ଅନୁଭବ କରୁଛନ୍ତି। କ୍ଷତ ଚିହ୍ନକୁ ଭଲ କରିବା ପାଇଁ ପ୍ରଥମ ପଦକ୍ଷେପ ହେଲା ସରକାରୀ ଓ ଏହାର ତତ୍ତ୍ୱ ଗୁଡ଼ିକ ଦ୍ୱାରା କରାଯାଉଥିବା ନିୟମ ଉଲ୍ଲଙ୍ଘନ ସମ୍ପର୍କରେ ଜାଣିବା।”
ଜଷ୍ଟିସ କୌଲଙ୍କ କହିବା କଥା ଯେ ଜମ୍ମୁ-କଶ୍ମୀରକୁ ଧୀରେଧୀରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଗଣିତ କରିବା ପାଇଁ ଧାରା ୩୭୦ ଲାଗୁ କରାଯାଇଥିଲା। ସେ କହିଛନ୍ତି, “ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହ ଜମ୍ମୁ-କଶ୍ମୀରକୁ ସମତୁଲ କରିବା ହିଁ ଧାରା ୩୭୦ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ନିୟମର ଆବଶ୍ୟକତା ନଥିଲା ବୋଲି କହିପାରିବା ନାହିଁ।
୩୬୭ର ବ୍ୟବହାର କରି ଧାରା ୩୭୦ର ସଂଶୋଧନ କଥା ଯେତେବେଳେ ଆସୁଛି ସେତେବେଳେ ମୁଁ ଗୋଟିଏ କଥା କହିବି ଯେ ପ୍ରଚଳିତ ପ୍ରକ୍ରିୟାକୁ ସମସ୍ତେ ଅନୁସରଣ କରିବା ଦରକାର। ପଛ ଦ୍ୱାର ଦେଇ କରାଯାଉଥିବା ସଂଶୋଧନକୁ କେବେ ହେଲେ ଅନୁମତି ମିଳିବ ନାହିଁ।”
ଜଷ୍ଟିସ କୌଲ କହିଛନ୍ତି, ଜମ୍ମୁ-କଶ୍ମୀର ସହ ଜଡ଼ିତ ପ୍ରସଙ୍ଗ ବେଶ ଭାବପ୍ରବଣ। ଆତଙ୍କବାଦ ଯୋଗୁ ଜନସଂଖ୍ୟାର ଗୋଟିଏ ଅଂଶ ସ୍ଥାନାନ୍ତରିତ ହୋଇଥିଲେ ଓ ପରିସ୍ଥିତି ଏପରି ହୋଇଥିଲା ଯେ ସେନାକୁ ଡାକିବାକୁ ପଡ଼ିଥିଲା। ଦେଶ ବିପଦର ସାମ୍ନା କରିଥିଲା। ରାଜ୍ୟବାସୀ ବହୁ ମୂଲ୍ୟ ଦେଇଥିଲେ। ପିଢ଼ି ପରେ ପଢ଼ି ସମସ୍ୟା ଭୋଗୁଛନ୍ତି। ଏହି ପିଢ଼ିର ଯୁବଗୋଷ୍ଠୀ ଗୋଟିଏ ଅବିଶ୍ୱାସର ଭାବନା ସହିତ ରହିଛନ୍ତି ବୋଲି ସେ କହିଛନ୍ତି।