Onn 3

ରହସ୍ୟ ଘେରରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

Crime State

ଆଗରପଡ଼ା: ଜନୈକା ୮ମ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ଜାରୀ ରହିଥିବା ବେଳେ ମୃତ ଛାତ୍ରୀଙ୍କ ମାମୁଁଘରଙ୍କ ଅଭିଯୋଗ ମୂଳେ ଆଗରପଡ଼ା ଥାନା କେଶ ନଂ ୨୩୧/୨୩ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଛାତ୍ରୀଙ୍କ ବାପାଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରି ତଦନ୍ତ ଜାରୀ ରଖିଛି । ଅଭିଯୋଗ ଅନୁଯାୟୀ;ଆଗରପଡ଼ା ଥାନା ଅନ୍ତର୍ଗତ କୁଆଁଶମଢିଆ ସ୍କୁଲ ୮ମ ଶ୍ରେଣୀ ଛାତ୍ରୀ ହଠାତ୍ ବେହୋସ ହୋଇପଡ଼ିବାରୁ ତାକୁ ପରିବାର ଲୋକେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିଲେ । ସେଠାରେ ଡ଼଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତା ଛାତ୍ରୀଙ୍କ ଶବକୁ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପରିବାର ଲୋକେ ତରବରିଆ ଭାବେ ଶବ ଦାହ କରିଥିଲେ ।

ଏଖବର ଦେବାକୁ ମୃତାଙ୍କ ବାପା ଭଦ୍ରକ ପୁରୁଣାବଜାର ସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରେ ଏହି ଘଟଣାକୁ ନେଇ ସନ୍ଦେହ କରି ମୃତାଙ୍କ ମାମୁଁ ଘର ଲୋକେ ତାଙ୍କ ବାପାଙ୍କୁ ପୁରୁଣାବଜାର ଥାନାରେ ଜିମା ଦେବା ସହ ଆଗରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧାମନଗର ଏସଡ଼ିପିଓ ବିଜୟ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସାଇଣ୍ଟିଭିକ୍ ଟିମ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳକୁ ଯାଇ ସେଠାରୁ ମୃତାଙ୍କ ପୋଷାକପତ୍ର ଆଦି ଉଦ୍ଧାର କରିଥିଲେ । ମୃତାଙ୍କ ମୃତ୍ୟୁକୁ ନେଇ ନାନାଦି କଥା ଶୁଣିବାକୁ ମିଳୁଥିବାରୁ ଏହି ଘଟଣା ଆହୁରି ଅଧିକ ରହସ୍ୟାବୃତ ହେବାରେ ଲାଗିଛି ।