Onn 3

୨୦ ଗ୍ରାମ ବ୍ରାଉନସୁଗାର ସହ ବନ୍ଧୁକ ଓ ଗୁଳି ଜବତ, ୪ ଗିରଫ

Crime State

 

khordha-Industrial-PS-Brownsugar-case-750x430

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରୁ ଥାନା ଉନ୍ନୀତ ହେବା ପରେ ପ୍ରଥମ ଥର ପାଇଁ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବରୁଣେଇ ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଏହି ଘଟଣାରେ ବିଭିନ୍ନ ପଡ଼ୋଶୀ ଜିଲ୍ଲାର ୪ଜଣଙ୍କୁ ଗିରଫ କରିଛି। ​ତେବେ ଘଟଣା ୪ ତାରିଖରେ ଘଟିଥିବା ବେଳେ ଘଟଣାସ୍ଥଳରୁ ୫ ଜଣ ଦୁର୍ବୃତ୍ତ ବିପୁଳ ପରିମାଣରେ ବ୍ରାଉନସୁଗାର ସହ ଖସି ଚାଲିଯାଇଛନ୍ତି।  ଏନେଇ ପୁଲିସ ଚାପରେ ପଡ଼ି ଆଜି ପ୍ରକାଶ କରିଛି। ମାମଲାର ଯେଉଁଭଳି ପରିଚାଳନା କରାଯାଇଛି ସେଥିରୁ ପୁଲିସର ସ୍ବଚ୍ଛତା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାନୁସାରେ, କୌଣସି ସୂତ୍ରରୂ ସୂଚନା ପାଇ ଶିଳ୍ପାଞ୍ଚଳ ଥାନାର ଏସ୍‌ଆଇ ତଥା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହ ଓ ଏସ୍‌ଆଇ ସସ୍ମିତା ବେହେରାଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍‌ ବରୁଣେଇ ପାହାଡ଼ର ବରୁଣେଇ ମନ୍ଦିର ନିକଟରେ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ଗଡ଼ଖୋର୍ଦ୍ଧା ହାଉସିଂବୋର୍ଡ କଲୋନୀର ଚନ୍ଦନ ନାୟକ ଓରଫ ବାଳୁଆ (୨୮), ମୁକୁନ୍ଦପ୍ରସାଦର ଫାରୁକ ଖାଁ (୨୬), ପୁରୀ ଗୋରାକବର ଅଞ୍ଚଳର ଏମ୍‌ ରମେଶ ରେଡ୍ଡି (୨୩), ଜଙ୍କିଆ କମାଗୁରୁର ମନୋରଞ୍ଜନ ପ୍ରଧାନ (୩୨)କୁ ଧରିଥିଲା। ଚନ୍ଦନ ନାୟକ ନିକଟରୁ ଏକ ୭ ଏମ୍‌ଏମ୍‌ ବନ୍ଧୁକ ସହ ଦୁଇଟି ଜୀବନ୍ତ ଗୁଳି ଓ ଫାରୁକ ଖାଁ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଉଭୟ ଏହି ବ୍ରାଉନସୁଗାରକୁ ବିକ୍ରି କରିବାକୁ ଗ୍ରାହକ ଯୋଗାଡ଼ କରିଥିଲେ। ଏହି ଘଟଣା ୪ ତାରିଖ ସକାଳ ପ୍ରାୟ ୯ଟାରେ ଘଟିଥିବା ବେଳେ ଏହାକୁ ଆଜି ଯାଏଁ ପୁଲିସ ଚପାଇ ରଖିଥିଲା।

ଘଟଣାରେ ପ୍ରତିକ୍ରିୟା ଦେଇ ଏସ୍‌ଡିପିଓ ଦିଲୀପ କୁମାର ଦାସ କହିଛନ୍ତି ଯେ ପୁଲିସକୁ ଦେଖି କେତେକ ଦୁର୍ବୃତ୍ତ ବରୁଣେଇ ଜଙ୍ଗଲ ଭିତର ଦେଇ ଫେରାର୍‌ ହୋଇଯାଇଥିଲେ। ଫେରାର ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ଚେଷ୍ଟା କରୁଥିଲା। ଖବର ପ୍ରକାଶିତ ହେଲେ ସେମାନେ ସତର୍କ ହୋଇଯିବେ ବୋଲି ଗଣମାଧ୍ୟମକୁ ସୂଚିତ କରାଯାଇନଥିଲେ। ତେବେ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ଯେ ଘଟଣାସ୍ଥଳରୁ ଲିପୁନ୍‌ ଖଟେଇ, ପ୍ରଶାନ୍ତ, ଧରମା, ବାୟା, ସଲାକ ଭଳି କେତେକ ପେଶାଦାର ବ୍ରାଉନସୁଗାର ବେପାରୀ ଖସି ଚାଲିଯାଇଛନ୍ତି। ସେମାନେ ସାଥିରେ ମାତ୍ରାଧିକ ପରିମାଣରେ ବ୍ରାଉନସୁଗାର ନେଇ ଚାଲିଯାଇଛନ୍ତି। ତେବେ ସେମାନଙ୍କୁ ପୁଲିସ ଜାଣିଶୁଣି ଖସାଇଛି ନା ସେମୋନେ ପୁଲିସକୁ ଚକମା ଦେଇ ବିପୁଳ ବ୍ରାଉନସୁଗାର ସହ ଖସି ଚାଲିଯାଇଛନ୍ତି ସେନେଇ ଖୋର୍ଦ୍ଧାରେ ଚର୍ଚ୍ଚା ଜୋର ଧରିଛି।