Onn 3

ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

National & International

 

Revanth-Reddy-1

ହାଇଦ୍ରାବାଦ/ ନୂଆଦିଲ୍ଲୀ: କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ହାଇକମାଣ୍ଡ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ କରିଛନ୍ତି।

ସେହିପରି ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଉତ୍ତମ କୁମାର ରେଡ୍ଡୀ ଓ ଭଟ୍ଟି ବିକ୍ରମ‌ାର୍କଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଉପ-ମୁଖ୍ୟମନ୍ତ୍ରୀ ପଦ ନ ଦିଆଯାଏ ତେବେ ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯିବ ବୋଲି ସୂତ୍ରରୁ ପ୍ରକାଶ।

୫୬ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ବର୍ତ୍ତମାନ ଲୋକସଭାର ସଦସ୍ୟ ଅଛନ୍ତି। ୨୦୧୭ରେ ସେ ତେଲୁଗୁଦେଶମ୍ ପାର୍ଟି ଛାଡ଼ି କଂଗ୍ରେସକୁ ଆସିବା ପରେ ତେଲେଙ୍ଗାନା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ।   କେବେ କୌଣସି କଥାରେ ହାର ନ ମାନିବାର ମନୋଭାବ ପାଇଁ ସାଥୀ ରାଜନେତା, ଦଳୀୟ କର୍ମୀ ଏବଂ ଲୋକଙ୍କ ମଧ୍ୟରେ ସେ ବେଶ୍ ପରିଚିତ। ଭାରତୀୟ ‌ରାଷ୍ଟ୍ର ସମିତି ( ବିଆରଏସ୍) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜଣେ କଡ଼ା ସମାଲୋଚକ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଡ୍ଡୀ ପ୍ରାୟତଃ ବିଆରଏସ ଏବଂ ଏଆଇଏମଆଇଏମ୍‌ର ରାଜନୈତିକ ଆକ୍ରମଣର ଟାର୍ଗେଟରେ ସବୁବେଳେ ରହିଥାନ୍ତି।

୨୦୧୫ରେ ‘କ୍ୟାସ୍‌ ଫର୍‌ ଭୋଟ୍‌’ ମାମଲାରେ ରେବନ୍ତ ରେଡ୍ଡୀଙ୍କୁ ଗିରଫ କରାଯିବା ଏବଂ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ‘ଏଜେଣ୍ଟ’  ବୋଲି ଅଭିଯୋଗରେ ଦଳ ପରିବର୍ତ୍ତନ ପାଇଁ ବିଆର୍‌ଏସ୍‌ ନେତାମାନେ ତାଙ୍କୁ ସମାଲୋଚନା କରିଥାଆନ୍ତି । କାମାରେଡ୍ଡୀ ନିର୍ବାଚନ ମଣ୍ଡଳୀରୁ ଯୁବ ପ୍ରଦେଶ କଂଗ୍ରେସ ମୁଖ୍ୟ ଥିବା ରେବନ୍ତ ରେଡ୍ଡୀ ବିଆରଏସ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।