Onn 3

ବାତ୍ୟା ’ମିଗଜୋମ’: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

State

 

Capture1-2-750x430

ଭୁବନେଶ୍ଵର: ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗଜୋମ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ।

ମଙ୍ଗଳବାର ପୂର୍ବାହ୍ନ ବେଳକୁ ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ।

ସେପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆଜିଠାରୁ ଭୀଷଣ ବର୍ଷା ହେବ । କିଛି ସ୍ଥାନର ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉପକୂଳ ଓଡିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିବ । ଝଟକା ପବନ ୫୫କିମି ଯାଏ ଯାଇପାରେ । ତେବେ ଆସନ୍ତାକାଲି ବର୍ଷାର ପ୍ରଭାବ ଅଧିକ ରହିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ଯାଏ ବର୍ଷା ହେବା ସହ ୪୦ରୁ ୪୫କିମି ବେଗରେ ପବନ ବହିବ । ସେହିପରି ଝଟକା ପବନ ଘଣ୍ଟା ପ୍ରତି ୬୦କିମି ବେଗରେ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଅମଳ ସମୟରେ ପ୍ରବଳ ବର୍ଷା କାରଣରୁ ଚାଷ ଜମିରେ ଫସଲ ନଷ୍ଟ ହୋଇପାରେ । ସେଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଅମଳ ଉପଯୋଗୀ ହୋଇଥିଲେ ଏହାକୁ ଶୀଘ୍ର କାଟି ନେବାକୁ ଏବଂ ଚାଷ ଜମିରୁ କିପରି ଶୁବ ଶୀଘ୍ର ଜଣ ନିଷ୍କାସନ ହୋଇପାରିବ ସେଥିପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଲଗାଣ ବର୍ଷା କାରଣରୁ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ଉପୁଜିପାରେ । ସେଥିପାଇଁ ସତର୍କ ସୂଚନା ଜାରି କରିଛି ବିଭାଗ ।