ମାଲକାନଗିରି ଜିଲ୍ଲାର ବାଲିମେଳା ନଦୀବନ୍ଧ, ଚିତ୍ରକୋଣ୍ଡା ଠାରେ ସିଲେରୁ ନଦୀଉପରେ ହେବାପାଇଁ ୧୯୬୨ ମସିହାରେ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ଉଦ୍ୟମରେ ୨୪ କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାପାଇଁ ରାଜିନାମା ହେଲା । ତତ୍ପରେ ଏହି ଜଳ ଭଣ୍ଡାରରୁ ଜଳକୁ ବ୍ୟବହାର କରିବାପାଇଁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରି ବିଦ୍ୟୁତ୍ ଉତ୍ପାଦନ ପାଇଁ ସେତେବେଳର ସୋଭିଏତ ୟୁନିଅନ ସାହାଯ୍ୟରେ କାର୍ଯ୍ୟ ଆରମ୍ଭ କରାଗଲା । ଏଥିପାଇଁ ସେହି ଖର୍ଚ୍ଚ ଅଟକଳକୁ ୧୯୭୨ ମସିହାରେ ପରିବର୍ତ୍ତନ କରାଯାଇ ୪୬.୩୦ କୋଟି ଟଙ୍କା କରାଗଲା ତତ୍ ପରେ ଏହି ଖର୍ଚ୍ଚ ଅଟକଳକୁ ୧୯୭୫ ମସିହାରେ ପରିବର୍ତ୍ତନ କରାଯାଇ ୫୨.୧୪ କୋଟି ଟଙ୍କା କରାଗଲା ।
ବାଲିମେଳା ଜଳଭଣ୍ଡାରରୁ ଜଳ ୪ କି.ମି ଲମ୍ଵ ପ୍ରେସର ଟନେଲ ଯାଇ ୨୦ ମିଟର ବ୍ୟାସ ଓ ୭୯ ମିଟର ଗଭୀର ସର୍ଜ ଟ୍ୟାଙ୍କରେ ପଡିଛି । ସର୍ଜ ଟ୍ୟାଙ୍କରୁ ୩.୭ ମିଟର ବ୍ୟାସ ବିଶିଷ୍ଟ ସ୍ଟିଲ ପେନଷ୍ଟକ ଭଲବ ହାଉସ୍ ପର୍ଯ୍ୟନ୍ତ ନିଆଯାଇ ଭଲବ ହାଉସ୍ ରୁ ୮ଟି ପେନଷ୍ଟକରେ ପାୱାର ହାଉସ ପର୍ଯ୍ୟନ୍ତ ଯାଇଛି । ଏହି ନଦୀବନ୍ଧ ଯୋଜନା ସମୁଦାୟ ୪୯୦୮ ବର୍ଗ କି.ମି . କୁ ବ୍ୟାପିଛି | ଏହାମଧ୍ୟରୁ ୨୨୨୧ ବର୍ଗ କି.ମି. ମାଛକୁଣ୍ଡ ନଦୀବନ୍ଧ ଯୋଜନା ଅନ୍ତର୍ଗତା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରୁ ବାହାରୁଥିବା ପାଣି ଓ ସିଲେରୁ ନଦୀର ପାଣିକୁ ନେଇ ବାଲିମେଳା ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ମାଛକୁଣ୍ଡ ଯୋଜନା ଓଡିଶା ଓ ଆନ୍ଧ୍ର ସରକାରଙ୍କର ଏକ ଯୌଥ ପ୍ରକଳ୍ପ । ସେହିପରି ବାଲିମେଳା ନଦୀବନ୍ଧ ମଧ୍ୟ ଦୁଇ ସରକାରଙ୍କ ଏକ ଯୌଥ ପ୍ରକଳ୍ପ, ସେଥିପାଇଁ ଏହି ଜଳ ଭଣ୍ଡାରର ପାଣିକୁ ଆନ୍ଧ୍ର ଓ ଓଡିଶା ୫୦: ୫୦ ଭାଗରେ ବ୍ୟବହାର କରିବାପାଇଁ ଅଧିକୃତ ।
ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ୦୮ ଟି ମେସିନ ଅଛି । ପ୍ରଥମେ ୦୬ ଟି ମେସିନ, ୬୦ ମେଗାୱାଟ ଲେଖାଏଁ, ଯେଉଁ ଗୁଡାକ ୧୯୭୩-୧୯୭୭ ମସିହା ଭିତରେ କାର୍ଯ୍ୟକାରୀ କରାଯାଇଛି ଓ ଅନ୍ୟ ଦୁଇଟି ମେସିନ ୭୫ ମେଗାୱାଟ ଲେଖାଏଁ ଯେଉଁ ଗୁଡା (୩୬୦+୧୫୦=୫୧୦ ମେଗା ୱାଟ) ବିଦ୍ୟୁତ ୨୦୦୮-୨୦୦୯ ମସିହାମଧ୍ୟରେ କାର୍ଯ୍ୟକାରୀ କରାଯାଇଛି । ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ମୋଟ କ୍ଷମତା ୫୧୦ ମେଗା ୱାଟ । ଏହାର ପ୍ରଥମ ମେସିନରୁ ୧୯୭୩ ମସିହା ଅଗଷ୍ଟ ମାସ ୧୪ ତାରିଖରେ ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରଯାଇଥିଲା । ୫୦ ବର୍ଷ ତଳେ ଏହି ବିଦ୍ୟୁତ କେନ୍ଦ୍ର ସୋଭିଏତ ୟୁନିଅନ ସହ ଯୋଗିତାରେ ପ୍ରତିଷ୍ଠା କରଯାଇଥିଲା । ଏହି ୫୦ ବର୍ଷ ଭିତରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ମାଲକାନଗିରି ଜିଲ୍ଲା ତଥା ଓଡିଶାକୁ ଅବଦାନ ଅତୁଳନୀୟ । ଏହା ଓଡିଶାର ଜଳ ବିଦ୍ୟୁତ୍ ଉତ୍ପାଦନର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ । ଅନବରତ ଭାବରେ ବର୍ଷ ବର୍ଷ ଧରି ଏହା ଓଡିଶାକୁ ଶସ୍ତାରେ ଜଳ ବିଦ୍ୟୁତ ଯୋଗାଇ ଆସିଛି ।
ମାଲକାନଗିରି ଜିଲ୍ଲା ବାଲିମେଳାରେ ଥିବା ବୃହତ ଜଳବିଦ୍ୟୁତ୍ ପ୍ରକଳ୍ପ ସଙ୍କଟରେ ଚାଲିଛି । ବର୍ତ୍ତମାନ ଏହି ପ୍ରକଳ୍ପ ସତା ହରାଇ ବସିଲାଣି। ଦୀର୍ଘ ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବ ରହିଛି। ଓଡ଼ିଶା ସରକାର ପକ୍ଷରୁ ପ୍ରକଳ୍ପର ଟର୍ବାଇନ୍ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଗତ ୨୦୧୮ରେ ଭେଲ୍ ନାମକ ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା । ୧ ଓ ୨ ଟର୍ବାଇନ୍ର ପୁନରୁଦ୍ଧାର ପାଇଁ ୩୪୧ କୋଟି ଟଙ୍କାର ଟେଣ୍ଡର ହୋଇଥିଲା। ବାସ୍ତବ କ୍ଷେତ୍ରରେ ୫୦୦ କୋଟି ଟଙ୍କାର ଏଷ୍ଟିମେଟ୍ ବ୍ୟୟ ବରାଦ କରାଯାଇଥିଲା। ୨୦୦ କୋଟିରୁ କମ୍ରେ ଭେଲ୍ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୨୦ରେ ସେହି କମ୍ପାନୀ ସମ୍ପୂର୍ଣ୍ଣ କାର୍ଯ୍ୟ କରିଥିଲା ।