ଇଏ ହେଉଛି ନୂଆପଡା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନସ୍ଥ କୋମନା ବ୍ଲକର ଗଣ୍ଡାମେର ଠାରୁ ଠାକୁରପାଲି ଦେଇ ବଲାଙ୍ଗୀର ସୀମାନ୍ତ ପର୍ଯ୍ୟନ୍ତ ହୋଇଥିବା ରାସ୍ତା । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ନିର୍ମାଣ ମନ୍ତ୍ରଣାଳୟ ବିଭାଗ ତରଫରୁ ଗଣ୍ଡାମେର ଛକ ଠାରୁ ମୁରିବାହାଲ ଦେଇ ଠାକୁରପାଲି ପର୍ଯ୍ୟନ୍ତ ୧୦.୮୫ କିମି ପିଚୁ ରାସ୍ତା ପାଇଁ ପ୍ରାୟ ୫କୋଟି ୧୭ଲକ୍ଷ ୪୬ହଜାର ୭୭୮ ଟଙ୍କା ମଞ୍ଜୁର ହୋଇଥିଲା । ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଦାଇତ୍ୱ ନେଇଥିବା ବେଳେ ଶ୍ରୀ ସମ୍ଭୁ ପ୍ରସାଦ ସୁପରକ୍ଲାସ ଠିକାଦାର ଏହାର ଟେଣ୍ଡର ପାଇଥିଲେ । ଟେଣ୍ଡର ପାଇବା ଦିନ ଠାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର କାର୍ଯ୍ୟର ମନ୍ଥରତା ଯୋଗୁଁ ସମୟ ଅବଧି ସରିଯାଇଥିଲେ ହେଁ କାର୍ଯ୍ୟଶେଷ ହେବାର ନାଁ ଧରୁ ନାହିଁ । ଅପରପକ୍ଷରେ କାର୍ଯ୍ୟ ନିମ୍ନମାନର ହେଉଥିବା ଯୋଗୁଁ ସ୍ଥାନେସ୍ଥାନେ ପିଚୁ ସବୁ ପରସ୍ତ ପରସ୍ତ ହୋଇ ବାହାରି ପଡୁଛି । ଏନେଇ ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ଠିକାଦାର ତଥା ବିଭଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ କହିଛନ୍ତି ।
ଆବଶ୍ୟକ ମୁତାବକ ମେଟେରିଆଲ ବ୍ୟବହାର ନକରି ଠିକାଦାର ମନମାନି କାର୍ଯ୍ୟ କରିଥିବା ଗଣ୍ଡାମେର ବାସୀ କହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ର କଥା କାର୍ଯ୍ୟସ୍ଥଳରେ ଦିନେ ହେଲେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖି ନଥିବା ଅଞ୍ଚଳବାସୀ କହିଛନ୍ତି । ବର୍ତ୍ତମାନ ରାସ୍ତା ନିର୍ମାଣ ସମୟ ଅବଧି ଶେଷ ହୋଇଯାଇଥିବା ବେଳେ ରାସ୍ତା ମରାମତି ନାଁ ରେ ଥିବା ୪୮ ଲକ୍ଷ ୨୭ ହଜାର ୮୫୮ଟଙ୍କା ଖର୍ଚ୍ଚ ହେବ କିପରି ତାହା ଏବେ ସନ୍ଦେହ ଘେରରେ । ଏବାବଦରେ ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ନିମ୍ନ ମାନର କାମ ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇ ପଡ଼ିଥିଲେ । ନିମ୍ନ ମାନର ରାସ୍ତା ନିର୍ମାଣକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ କିଂମ୍ବା ଠିକାଦାର ଶୁଣୁନଥିବା ରୁ ଆଗମୀ ଦିନରେ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ ହିଁ ଏକ ପନ୍ଥା ବୋଲି ଜନ ସାଧାରଣ ଚେତାଵନୀ ଦେଇଛନ୍ତି ।