Onn 3

ପାଳିତ ହେଲା ଓରାଳି ଦରଘା ବାବାଙ୍କ ବାର୍ଷିକ ଉତ୍ସବ

State

 

dargha

ବିଶ୍ୱାସ ଆଗରେ ସବୁକିଛି ହାର ମାନେ । ମନରେ ଭକ୍ତି ଥିଲେ ସବୁକିଛି ସମ୍ଭବ । ଦରଘାରେ କେବଳ ଯେ ମୁସଲମାନ ମାନେ ପୂଜା କରନ୍ତି ତାହା ନୁହେଁ । ହିନ୍ଦୁମାନେ ବି ନିଜ ଆସ୍ଥାକୁ ମାନି ଦରଘାକୁ ନିତି ଦିନ ପୂଜା ପାଇଁ ଆସନ୍ତି । ହଁ ଦର୍ଶକ ବନ୍ଧୁ ଆମେ ଏପରି ଏକ ଦରଘା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ହିନ୍ଦୁ ମୁସଲମାନ ଉଭୟ ଭକ୍ତିର ସହ ବାବାଙ୍କ ପୂଜା କରନ୍ତି ।

ଦରଘା ଚାରିପଟେ ହିନ୍ଦୁ ବସତି । ଦୀର୍ଘ ୫କିମି ପରିଧି ଭିତରେ ମୁସଲିମ ବସତି ନାହିଁ । ତଥାପି ଅଟକି ନାହିଁ ପ୍ରତ୍ୟେକ ଦିନର ପୂଜାପାଠ । ହିନ୍ଦୁ ସମ୍ପ୍ରଦାୟର କେହି ନା କେହି ଏଠାକୁ ଆସି ଜାଳିଥାନ୍ତି ସଞ୍ଜବତୀ । କେବଳ ସେତିକି ନୁହେଁ ଦରଘାର ରକ୍ଷଣାବେକ୍ଷଣ ଦାୟିତ୍ୱ ହିନ୍ଦୁଙ୍କ ହାତରେ । ସପ୍ତାହରେ କେବଳ ଗୁରୁବାର ଦିନ ଆସିଥିବା ମୁସଲମାନମାନେ ଅନ୍ୟ ଦିନର ସମସ୍ତ ଭାର ଯେପରି ଅର୍ପଣ କରିଦେଇଥାନ୍ତି ହିନ୍ଦୁ ସଂପ୍ରଦାୟ ହାତରେ । ଆମେ କହୁଛୁ ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ଓରାଳି ଗ୍ରାମରେ ଥିବା ଦରଘା କଥା ।

ନମାଜ ପଢ଼ିବା ସହ ଏଠାରେ ଦିଆଯାଏ ସଞ୍ଜବତୀ । ଏଠାରେ କିଏ ପବିତ୍ର କୋରାନ ପାଠ କରୁଛି ତ ଆଉ କିଏ ଧୂପ ଦୀପ ଜାଳୁଛି । ଏ ହେଉଛି ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ଓରାଳି ଗ୍ରାମରେ ଥିବା ହଜରତ ସୟେଦ ବୁଲନ୍ଦ ସାହା ବାବାଙ୍କ ଦରଘା । ଯାହାକି ସତ୍ୟପୀର ପୀଠ ନାମରେ ନାମିତ । ଓରାଳି ଗାଁଟି ସଂପୂର୍ଣ୍ଣ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର । ଏହି ସତ୍ୟପୀରଙ୍କୁ ହିନ୍ଦୁମାନେ ହିଁ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଗ୍ରାମରେ ବସବାସ କରୁଥିବା ଗାଁ ଲୋକେ ପୀରଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତି । କେବଳ ସପ୍ତାହର ଗୁରୁବାର ଦିନ ନିକଟସ୍ଥ ଅଞ୍ଚଳର ମୁସଲିମ ଭାଇଭଉଣୀମାନେ ଆସି ପୀର ବାବାଙ୍କୁ ପୂଜା କରନ୍ତି । ପ୍ରତି ଗୁରୁବାର ଏହି ପୀଠରେ ଦେଖିବାକୁ ମିଳିଥାଏ ଅନନ୍ୟ ଭାଇଚାରାର ଦୃଶ୍ୟ । ଚଳିତ ବର୍ଷ ବାବାଙ୍କ ବାର୍ଷିକ ଉତ୍ସବ ବେଶ୍‌ ଧୁମଧାମରେ ପାଳନ କରିଛନ୍ତି ଅଞ୍ଚଳବାସୀ ।

ଇସଲାମ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ସୁଦୂର ଇରାନରୁ ଧର୍ମ ପ୍ରଚାରକମାନେ ଭାରତର କୋଣ ଅନୁକୋଣକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ସୟେଦ ଅହମ୍ମଦ ବୁଲନ୍ଦ ଶାହା ଅନ୍ୟତମ । ସେ ଭାରତରେ ମୋଗଲ ଶାସନ ଚାଲିଥିବା ବେଳେ ଧର୍ମ ପ୍ରଚାର ପାଇଁ ଆସିଥିଲେ । ଓରାଳିଠାରେ ଏକ କୁଡିଆ ନିର୍ମାଣ କରି ନିକଟସ୍ଥ ଗ୍ରାମଗୁଡିକରେ ଧର୍ମ ପ୍ରଚାରରେ ଲାଗିଥିଲେ । ଧର୍ମ ପ୍ରଚାର କରୁ କରୁ ଏହିଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କୁ ଓରାଳିରେ କବର ଦିଆଯାଇଥିଲା । ବାବାଙ୍କ ନିକଟରେ କୌଣସି ମାନସିକ ରଖିଲେ ତାହା ପୁରଣ ହୁଏ ବୋଲି ଆଖପାଖ ହିନ୍ଦୁ ମୁସଲମାନ ମାନଙ୍କର ବିଶ୍ୱାସ ରହିଛି ।