Onn 3

୮ମ ବେତନ କମିସନ୍‌ ଗଠନ ପାଇଁ ଯୋଜନା ହୋଇନାହିଁ: ଅର୍ଥ ସଚିବ

National & International

 

ta

ନୂଆଦିଲ୍ଲୀ: ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ ଟି. ଭି. ସୋମନାଥନ୍‌ କହିଛନ୍ତି।

ସେ କହିଛନ୍ତି, ୮ମ ବେତନ କମିସନ୍‌ ବସାଇବା ସଂକ୍ରାନ୍ତରେ କୌଣସି ଯୋଜନା ନାହିଁ। ଏବେ ମଧ୍ୟ ତାହା କରାଯାଉନାହିଁ।

ସୂଚନାଯୋଗ୍ୟ, ଅତୀତରେ କେନ୍ଦ୍ର ସରକାରୀ କର୍ମଚାରୀ, ସଶସ୍ତ୍ର ବଳ ଓ ପାରିବାରିକ ପେନ୍‌ସନ୍‌ଭୋଗୀଙ୍କ ମନ ଜିଣିବାକୁ ନିର୍ବାଚନ ଆଗରୁ ସରକାର ବେତନ କମିସନ୍‌ ଗଠନ ଓ ଲାଗୁ କରାଇବାକୁ ଏକ ଫଳପ୍ରଦ ଆୟୁଧରୂପେ ବ୍ୟବହାର କରୁଥିଲେ। ଦୃଷ୍ଟାନ୍ତସ୍ବରୂପ, ରାଜ୍ୟ ଓ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୩ ସେପ୍ଟେମ୍ବର ମାସରେ କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାର ୭ମ ବେତନ କମିସନ୍‌ ଗଠନ କରିଥିଲେ।

କିନ୍ତୁ, ବେତନ କମିସନ୍‌ ପରିବର୍ତ୍ତେ ‘ବିଜେପି’ ନୂତନ ପେନ୍‌ସନ୍‌ ଯୋଜନାର ସମୀକ୍ଷା ଉପରେ ଧ୍ୟାନନିବେଶ କରିଛି। ଏହି ପେନ୍‌ସନ୍‌ ଯୋଜନା ନୂଆ ରାଜ୍ୟ ଓ କେନ୍ଦ୍ର ସରକାର କର୍ମଚାରୀଙ୍କ ନିମନ୍ତେ ବିବାଦୀୟ ହୋଇପଡ଼ିଛି।

ସାମ୍ପ୍ରତିକ ବ୍ୟବସ୍ଥା ଅନୁସାରେ, କର୍ମଚାରୀମାନେ ସେମାନଙ୍କ ମୂଳ ବେତନର ୧୦% ଦେଉଥିବା ବ‌େଳେ ସରକାର ୧୪% ଦେଉଛନ୍ତି। କିନ୍ତୁ, ଏହାକୁ କେତେକ ବିରୋଧୀ ଦଳ ଶାସିତ ରାଜ୍ୟ ଅଗ୍ରାହ୍ୟ କରି ପୁରାତନ ପେନ୍‌ସନ୍‌ ଯୋଜନା ଲାଗୁ କରିବାରୁ ଏହା ରାଜନୈତିକ ବିବାଦର କାରଣ ହୋଇଛି।

ପେନ୍‌ସନ୍‌ ବ୍ୟବସ୍ଥା ସମୀକ୍ଷା କରିବା ଲାଗି ଅର୍ଥ ସଚିବଙ୍କ ନେତୃତ୍ବରେ ସରକାର କମିଟି ଗଠନ କରିଥିଲେ। ଅର୍ଥ ସଚିବ ସୋମନାଥନ୍‌ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ସହିତ ଆମେ ପରାମର୍ଶ କରିସାରିଛୁ। ଖୁବ୍‌ ଶୀଘ୍ର ରିପୋର୍ଟ ଦାଲଖ କରିବୁ।