Onn 3

ତହସିଲ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିଷ୍କ୍ରିୟତାକୁ କେନ୍ଦ୍ର କରି ଗତ ଶନିବାର ଠାରୁ ତହସିଲ କର୍ମଚାରୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରେ ବସିଥିଲେ । ମୁଖ୍ୟ କିରାଣୀ ସୁନାକର ସେଠୀଙ୍କ ନେତୃତ୍ୱରେ କର୍ମଚାରୀଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା ଏବଂ ତହସିଲଦାରଙ୍କ ଆକ୍ରମଣକାରୀ ଦୁବୁର୍ତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ସମସ୍ତ କର୍ମଚାରୀମାନେ ଏହାକୁ ଯୋରଦାର କରିଥିଲେ । ଫଳରେ ତହସିଲର ସମସ୍ତ କାର୍ଯ୍ୟ ଠପ ହୋଇଥିଲା । ଏ ସଂକ୍ରାନ୍ତରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଜାଣିବା ପରେ ତାଙ୍କ ନିର୍ଦ୍ଦେଶରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଘଟଣା ସ୍ଥଳରେ ପହଞ୍ଚି କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ଉପଖଣ୍ଡ ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରି ଧାରଣାରେ ବସିଥିବା କର୍ମଚାରୀମାନଙ୍କୁ ସିଧାସଳଖ ଭାବେ ଉକ୍ତ ଅଧିକାରୀଙ୍କ ସହିତ ବାର୍ତ୍ତାଳାପ କରାଇଥିଲେ ।

ଗୁରୁବାର ଦିନ ଉକ୍ତ ମାମଲା ର ତଦନ୍ତ ଦାୟିତ୍ୱରେ ଥିବା ଡ଼େରାବିଶ ଥାନା ଅଧିକାରୀ କିଶୋର ଚନ୍ଦ୍ର ତରାଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀମାନଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ଦୁବୁର୍ତ୍ତମାନଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଖୋଦ୍ ତହସିଲଦାର ଙ୍କୁ ଆକ୍ରମଣ ଘଟଣାରେ ଡ଼େରାବିଶ ଥାନା ପୋଲିସ ଏବଂ କଟକ ଜିଲ୍ଲା ପ୍ରଶାସନ କଣ ପାଇଁ ନୀରବଦ୍ରଷ୍ଟା ସାଜିଛନ୍ତି ସେ ନେଇ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଯୋରଦାର ଚର୍ଚ୍ଚା ଧରିଛି । ଅପରପକ୍ଷରେ ଏଭଳି ଘଟଣାକୁ କର୍ମଚାରୀ ମହଲରେ ନିନ୍ଦା କରାଯିବା ସହ କେତେବେଳେ କୌଣସି କର୍ମଚାରୀ ଉପରେ ପୁର୍ନବାର ଏଭଳି ଘଟଣା କାଳେ ଘଟିବ ସେ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।