Onn 3

ପୁଅ ‌ଟନେଲ୍‌ରୁ ଉଦ୍ଧାର ହେବା ଆଗରୁ ମାନସିକ ଉଦ୍‌ବିଗ୍ନତାରେ ପ୍ରାଣ ହରାଇଲେ ବାପା

National & International

tunnel-4-750x430

ରାଞ୍ଚି: ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡ ଅନ୍ତର୍ଗତ ସିଲ୍‌କ୍ୟାରା ସୁଡ଼ଙ୍ଗ ପଥ ମଧ୍ୟରେ ଫସି ରହିଥିବା ପୁଅକୁ ଉଦ୍ଧାର କରାଯିବା ଆଗରୁ ଝାଡ଼ଖଣ୍ଡରେ ଥିବା ତାଙ୍କ ୭୦ ବର୍ଷିୟ ବାପା ମାନସିକ ଉଦ୍‌ବିଗ୍ନତା ଯୋଗୁଁ ପ୍ରାଣ ହରାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି।
ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ଓ ଭିତରେ ଅନ୍ୟମାନଙ୍କ ସମେତ ତାଙ୍କ ୨୮ ବର୍ଷିୟ ପୁଅ ଭକ୍ତୁ ଫସି ରହିଥିବା ଖବର ଶୁଣିବା ପରଠାରୁ ବାସେତ୍‌ ଓରଫ୍ ବାର୍‌ସା ମୁର୍ମୁ ବଡ଼ ଉଦ୍‌ବିଗ୍ନ ହୋଇଯାଇଥିଲେ ବୋଲି ବୁଧବାର ଦିନ ତାଙ୍କ ପରିବାରବର୍ଗ କହିଛନ୍ତି।
ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହଦା ଗ୍ରାମସ୍ଥିତ ବାସଭବନରେ ଖଟରେ ବସିଥିବା ଅବସ୍ଥାରେ ମୁର୍ମୁଙ୍କର ମୃତ୍ୟୁ ଘଟିଲା। ମଙ୍ଗଳବାରଠାରୁ ଭକ୍ତୁର ମାଆ ପିତି ମୁର୍ମୁ ବି କଥାବାର୍ତ୍ତା ବନ୍ଦ କରି ଖାଲି ଜଳ ଜଳ କରି ଚାହୁଁଛନ୍ତି।
ମୁର୍ମୁଙ୍କ ଜ୍ବାଇଁ ଠାକୁର ହାଁସ୍‌ଦା କହିଛନ୍ତି, ପୁଅ କଥା ଭାବି ସେ ଖୁବ୍‌ ବ୍ୟାକୁଳ ହେଉଥିଲେ। ହଠାତ୍‌ ଖଟରୁ ପଡ଼ିଯାଇ ମରିଗଲେ।
ପରିବାରର ଅନ୍ୟ ସଦସ୍ୟମାନେ କହିଛନ୍ତି, ପୁଅର ଉଦ୍ଧାର ସଂକ୍ରାନ୍ତ ଖବରକୁ ସେ ଅତି ଉତ୍‌କଣ୍ଠିତ ହୋଇ ଚାହିଁ ରହିଥିଲେ।
ଘଟଣାସ୍ଥଳକୁ ଯାଇଥିବା ଦୁମାରିଆ ଥାନା ଅଧିକାରୀ ସଞ୍ଜୀବନ ଓରାନ୍‌ କହିଛନ୍ତି, ମୁର୍ମୁଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୂର୍ବ ସିଂହଭୂମର ସିଭିଲ୍‌ ସର୍ଜନ ଡାକ୍ତର ଜୁଜହର ମାଞ୍ଝି କହିଛନ୍ତି ଯେ, ମୃତ୍ୟୁ ସମ୍ପର୍କରେ ସେମାନେ ସୂଚନା ପାଇଛନ୍ତି, କିନ୍ତୁ ଡାକ୍ତରୀ ରିପୋର୍ଟ ଆସିନାହିଁ।