Onn 3

ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ

State

Untitled-1-105

ଭୁବନେଶ୍ୱର,୨୫ା୧୧ : ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୬ ତାରିଖରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରେ ଏହା ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ଗତିକରିବା ସମ୍ଭାବନା ରହିଛି ବୋଲି କେତେକ ପାଣିପାଗ ମଡେଲ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କି.ମି. ହେବ ବୋଲି ଅନୁମାନ କରିଛି ବିଭାଗ। ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନଭେମ୍ବର ଶେଷ ହେବାକୁ ବସିଥିବା ବେଳେ ରାଜ୍ୟରେ ଶୀତର ପ୍ରଭାବ ନାହିଁ। ସର୍ବନିମ୍ନ ତାପମାତ୍ରା ୧୫ରୁ ୨୩ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହୁଛି। ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୨୭ରୁ ୩୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଦିନର ତାପମାତ୍ରା ହ୍ରାସ ପାଉନାହିଁ। ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉ ନ ଥିବାରୁ ରାତ୍ରିର ତାପମାତ୍ରା ହ୍ରାସ ପାଉନାହିଁ। ଯଦିଓ ହାଲୁକା ଶୀତ ହେଉଛି ତେବେ ପାରଦ ତଳମୁହାଁ ହେଉନାହିଁ। ଆସନ୍ତା ୩/୪ ଦିନ ମଧ୍ୟ ପାଗରେ କୌଣସି ପରିବର୍ତ୍ତନର ସଙ୍କେତ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।