ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ । ଆସନ୍ତାକାଲି ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ , ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ । ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍ ର ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ ରୁ ଉର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।