Onn 3

ବିଜ୍ଞାପନ ପାଇଁ ଟଙ୍କା ଅଛି, କିନ୍ତୁ ସରକାରୀ ଯୋଜନା ପାଇଁ ନାହିଁ

National & International

supreme-court.jpg

ନୂଆଦିଳ୍ଲୀ : ଦିଲ୍ଲୀ ସରକାରଙ୍କ ଉପରେ ରାଗିଲେ ସୁପ୍ରିମକୋର୍ଟ। ରାପିଡ୍ ରେଳ ପ୍ରୋଜେକ୍ଟ ପାଇଁ ଟଙ୍କା ନ ଦେବାରୁ ସୁପ୍ରିମକୋର୍ଟ କେଜ୍ରିଓ୍ୱାଲ ସରକାର ଉପରେ ଆଜି ଜୋରଦାର ବର୍ଷିଛନ୍ତି। ବିଜ୍ଞାପନ ପାଇଁ ଟଙ୍କା ଅଛି। ହେଲେ ସରକାରୀ ଯୋଜନା ପାଇଁ କେଜ୍ରିଓ୍ୱାଲ ସରକାରଙ୍କ ପାଖରେ ଟଙ୍କା ନାହିଁ। ତୁରନ୍ତ ଏକ ସପ୍ତାହ ମଧ୍ୟରେ ୪୧୫ କୋଟି ଟଙ୍କା ସରକାର ଦିଅନ୍ତୁ। ନଚେତ୍‌ ବିଜ୍ଞାପନ ବଜେଟ୍‌ ଉପରେ ରୋକ୍‌ ଲଗାଇ ଟଙ୍କା ଆଦାୟ କରାଯିବ ବୋଲି କୋର୍ଟ କଡ଼ା ଭାଷାରେ କହିଛନ୍ତି।
ଜୁଲାଇ ୨୪ ତାରିଖରେ ସୁପ୍ରିମକୋର୍ଟ ଆର୍‌ଆର୍‌ଟିଏସ୍‌ ପ୍ରୋଜେକ୍ଟ ପାଇଁ ଦିଲ୍ଲୀ ସରକାରଙ୍କୁ ୪୧୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ପୈଠକ କରିବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ ଦୁଇ ମାସ ସମୟ ଦେଇଥିଲେ। ତେବେ କେଜ୍ରିଓ୍ୱାଲ ସରକାର ଆଜି ଯାଏ ଏହି ଟଙ୍କା ଦେଇନାହାନ୍ତି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି।
କାହିଁକି ଦିଲ୍ଲୀ ସରକାର କୋର୍ଟଙ୍କ ଆଦେଶ ପାଳନ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଯଦି ସପ୍ତାହ ଭିତରେ ଏହି ଟଙ୍କା ପୈଠ ନ କରାଯାଏ ତେବେ ସରକାରଙ୍କ ବିଜ୍ଞାପନ ବଜେଟ୍‌ ଉପରେ ରୋକ ଲାଗଇ ଦିଆଯିବ। ଏହି ବିଜ୍ଞାପନ ଟଙ୍କାକୁ ଜବତ କରି ଏହି ପ୍ରୋଜେକ୍ଟରେ ଲଗାଯିବ ବୋଲି କୋର୍ଟ କହିଛନ୍ତି। ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ମୁତାବକ ଗତ ତିନି ବର୍ଷ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ବଜେଟ୍‌ ୧୧୦୦ କୋଟି ଟଙ୍କା ଥିଲା। ତେବେ ଚଳିତ ବର୍ଷ ଏହି ବଜେଟ୍‌ ୫୫୦ କୋଟି ରହିଛି।