Onn 3

ଓଏନଏନ ପ୍ରଭାବ: ଆରମ୍ଭ ହେଲା ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ

State

ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତଥା ଓଡ଼ଙ୍ଗ କ୍ଲଷ୍ଟର ଅଧିନ ତୁମ୍ଭାପଦୀ ପ୍ରାଥମିକ ବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ଲାଗି ରହିଥିବା ସମସ୍ୟାକୁ ନେଇ ‘ଓଏନଏନ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ “ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା”ରେ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ସରକାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ସଂଖ୍ୟାକୁ ଦେଖି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଓ ପାଖ ବିଦ୍ୟାଳୟ ସହ ମିଶ୍ରଣ ମଧ୍ୟ କରିଛନ୍ତି ଯାହାକି ଏକ ଉଚିତ ପଦକ୍ଷେପ କିନ୍ତୁ ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ପିଲା ଅଛନ୍ତି ସେଇ ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟିତ ନହେଲେ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ଏକ ପ୍ରହସନରେ ପରିଣତ ହେବ ଏଥିରେ ଦ୍ୱିମତ ନାହିଁ ବୋଲି ମତ ପ୍ରକାଶ ପାଉଛି । ଯାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଉକ୍ତ ପ୍ରାଥମିକ ବିଦ୍ୟାଳୟଠାରେ ।

ପିଲା ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବରୁ ଏଠାରେ ଶିକ୍ଷା ଦାନରେ ଘୋର ସମସ୍ୟା ଉପୁଜୁଥିଲା । ୨୦୦୮ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ପାଂଚଟି ଶ୍ରେଣୀ ପାଇଁ ଦୁଇଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହା ମଧ୍ୟରେ ୧୪ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନଥିଲା । ଶ୍ରେଣୀ ଗୃହକୁ ନେଇ ଅଭିଭାବକଙ୍କ ଚିନ୍ତା ବଢୁଥିବା ବେଳେ ସମ୍ମୁଖ ଭାଗକୁ ଛାଡ଼ି ଅନ୍ୟ ଭାଗରେ ସ୍ଥାୟୀ ପାଚେରୀ ନିର୍ମାଣ ହୋଇ ପାରି ନଥିଲା । ବର୍ତ୍ତମା ନ “ଆମ ଓଡ଼ିଶା ନବୀନ ଓଡ଼ିଣା ଯୋଜନା”ରେ ଦୁଇ ଲକ୍ଷ ପଚାଶ ହଜାର ଅଟକଳ ମୂଲ୍ୟରେ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ,କାର୍ଯ୍ୟାଳୟ ଓ ବାରଣ୍ଡାରେ ଟାଇଲ ବିଛା ଯାଉଥିବା ବେଳେ ଆଗାମୀ ଦିନରେ ଅନ୍ୟ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ସୂଚନା ମିଳିଛି ।