Onn 3

ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ

State

 

DEPRESSION-OVER-BAY-750x430-1

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ କରି ସୂଚନା ଦେଇଛି ।

ଅବପାତ ଅଧିକ ଘନୀଭୂତ ହୋଇ ଏହା ୧୬ ତାରିଖ ବେଳକୁ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ପହଞ୍ଚି ଗଭୀର ଅବପାତର ରୂପ ନେବ ।  ପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ଏଥିରେ କୁହାଯାଇଛି।

ଏହାର ପ୍ରଭାବରେ ଉପକୂଳ-ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଫଳରେ ରାଜ୍ୟ ବିଭିନ୍ନ ସ୍ଥନାରେ ମେଘୁଆ, କୋହଲ ପାଗ ରହିବ । ଆଜି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ୧୬ ତାରିଖ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, କଟକ, ଖୋର୍ଦ୍ଧା, ନୟାଗଡା ଏବଂ ବାଲେଶ୍ୱର, ଜାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡା ସମେତ ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ ଏବଂ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବାନ ରହିଛି ।

ସେହିପରି ୧୭ ତାରିଖ ଭଦ୍ରକ, ବାଲେଶ୍ୱରର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀକୁ ଗଭୀର ସମୁଦ୍ରକୁ ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି ।  ତେବେ ଏହି ଅବପାତ ପ୍ରଭାବ ଓଡ଼ିଶାକୁ ବେଶି ନ ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।