Onn 3

ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

State

 

weather-1

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି  । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୧୬ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ଜଗତସିଂହପୁରର ଅଧିକାଂଶ ଅଞ୍ଚଳ ଏବଂ ମାଲକାନଗିରି, କୋରାପୁଟ, କେନ୍ଦ୍ରାପଡା, ଭଦ୍ରକ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ । ତେବେ ନଭେମ୍ବର ୧୬ ଓ ୧୭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ନଭେମ୍ବର ୧୬ରେ  ପ୍ରବଳ ବର୍ଷା  ସମ୍ଭାବନା ରହିଛି । ଏହି ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, ଜାଜପୁର, କେନ୍ଦ୍ରାପଡା କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି ।

ସେହିପରି ନଭେମ୍ବର ୧୭ ତାରିଖରେ ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳ ପାଇଁ ୟେଲା ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।