Onn 3

ଆଜି “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ

State

 

kali

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ ସମସ୍ତ ଦିନରେ ମାଁ ଶାନ୍ତ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ କଥା  । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ଵା ଆଉ ବଡ଼ ବଡ଼ ଚକ୍ଷୁର କଥା ।

କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମାହାକାଳୀ ବେଶରେ ଦର୍ଶନ ଦିଅନ୍ତି  । ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା  ।

ମା ଭଦ୍ରକାଳୀ ଆଜି ମହାକାଳୀ ବେଶ ଧାରଣ କରି ଗଳାରେ ନରମୁଣ୍ଡ ମାଳୀ, ହାତରେ ଖଡ଼ଗ ସହ ନୀଳ ବର୍ଣ୍ଣ ରୂପରେ ମା ଦର୍ଶନ ଦେଉଛନ୍ତି  ।  ବିଶ୍ବାସ ରହିଛି ମା ଙ୍କର ଏହି ବେଶ ଦର୍ଶନ କଲେ ଭକ୍ତ ମାନଙ୍କ ପାପ କ୍ଷୟ ହେବାସହ ଦୁଶ୍ଚିନ୍ତା ଦୂର ହୋଇଥାଏ  ।  ମାଁଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି । ସେପଟେ  ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।