Onn 3

ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: ମୁଖ୍ୟମନ୍ତ୍ରୀ

State

1d4b770c-8b7c-4ea9-9962-1cca4c3662de

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠୁ ଜନତା ମଇଦାନରେ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ମୋ ସରକାର ମିଲେଟ୍ ଚାଷ ଲାଗି ୨୫୦୦ କୋଟି ଟଙ୍କା ବିନିଯୋଗ କରୁଛି। ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ ଏହାକୁ ବିଶେଷତଃ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚି ପାରିଛି ।
ପୁଷ୍ଟିଶସ୍ୟ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୭ରେ ରାଜ୍ୟ ସରକାର ଓଡ଼ିଶା ମିଲେଟ ମିଶନର ଶୁଭାରମ୍ଭ କରିଥିଲେ। ଏହି ମିଶନ ଜରିଆରେ ଆମେ ଏସବୁ ପୁଷ୍ଟିକର ଶସ୍ୟକୁ ବର୍ତ୍ତମାନର ଖାଦ୍ୟ ପ୍ରଣାଳୀରେ ଏକ ଅନିର୍ବାଯ୍ୟ ଅଂଶ ଭାବେ ଗ୍ରହଣ କରି ପୁନରୁଦ୍ଧାର କରିବା ଲାଗି ଲକ୍ଷ୍ୟ ରଖିଛୁ। ମିଲେଟ୍‌ ଆମକୁ ଅନେକ ବିଶେଷ ସ୍ଵାସ୍ଥ୍ୟଗତ ସୁବିଧାମାନ ପ୍ରଦାନ କରିଥାଏ । ଜଳବାୟୁ ଅନୁକୂଳ ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହୋଇପାରୁଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ ଏହା ବିଶେଷ ଭାବରେ ସାହାଯ୍ୟ କରିଥାଏ । ମିଲେଟ୍‌ ଚାଷରେ ସ୍ଵଳ୍ପ ପାଣିର ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ୍ନ କମ୍ ରହୁଥିବା କାରଣରୁ ଏହା ପରିବେଶ ଅନୁକୂଳ ଅଟେ ।

୨୦୨୩ ମସିହାକୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ (ମିଲେଟ୍) ବର୍ଷ ଭାବରେ ଘୋଷଣା କରି ମିଳିତ ଜାତିସଂଘ ଓ ଖାଦ୍ୟ ଓ କୃଷି ସଂଗଠନ ବିଶ୍ଵସ୍ତରରେ ଏହି ଶସ୍ୟପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି ଏବଂ ଏହି ପ୍ରାଚୀନ ଶସ୍ୟ ଆଧୁନିକ ସମୟର ସମସ୍ୟା ଓ ଆହ୍ବାନଗୁଡିକ ଲାଗି ପ୍ରକୃଷ୍ଟ ଉତ୍ତର ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏଥିଲାଗି ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ପ୍ରଚେଷ୍ଟାକୁ ଆଉ ପାଦେ ଆଗକୁ ନେବାକୁ ଯାଇ ଓଡିଶାର କୃଷକ, ମିଲେଟୁ ମା’, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଖେଳାଳି, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏଫ.ପି.ଓ, ଉଦ୍ୟୋଗୀ, ଡାକ୍ତର, ହୋଟେଲ ଏବଂ ଅନ୍ୟମାନଙ୍କର ସକ୍ରିୟ ସହଯୋଗରେ ପ୍ରଥମ ମାଣ୍ଡିଆ ଦିବସ ୧୦ ନଭେମ୍ବର ୨୦୨୨ ରୁ ଆରମ୍ଭ କରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ( ୯ ଓ ୧୦ ନଭେମ୍ବର ୨୦୨୩) ପର୍ଯ୍ୟନ୍ତ ଏକ ସଫଳ ଯାତ୍ରା ସମ୍ପନ୍ନ କରିବାକୁ ଯାଉଛି ।

ପୁଷ୍ଟିଶସ୍ୟର ପୁନରୁଦ୍ଧାର କରିବା ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ଉଭୟ ପ୍ରଶାସନ ଓ ସମାଜକୁ ନେଇ ଏକ ସାମଗ୍ରୀକ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ମହତ ପ୍ରୟାସ ସହିତ ପ୍ରତ୍ୟେକ ସାଧାରଣ ଲୋକର ଖାଇବା ଥାଳିରେ ମିଲେଟ୍ ଭଳି ଏକ ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଆମ ରାଜ୍ୟ ସର୍ବୋତ୍ତଭାବେ କାର୍ଯ୍ୟ କରିବ । ମିଲେଟ୍‌ ଓ ମିଲେଟ୍‌ ଭିଭିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ । ଆମେ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ନାଗରିକମାନଙ୍କ ମଧ୍ୟରେ ଏକ ସକରାତ୍ମକ ଦୃଷ୍ଟିକୋଣ ବିକଶିତ କରି ରାଜ୍ୟ ସ୍ଵାସ୍ଥ୍ୟ ସୂଚକାଙ୍କକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ। ମୁଁ ଆଶା କରୁଛି, ଏହି ଅନନ୍ୟ ଶସ୍ୟ ଆଜିର ସମାଜରେ ତା’ର ଯୋଗ୍ୟ ସ୍ଵୀକୃତି ଫେରିପାଇବ ଏବଂ ସୁସ୍ଥ ଜୀବନଯାପନ କରିବାରେ ଆମ୍ଭମାନଙ୍କୁ ସହାୟକ ହେବ।
ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତ‌ାପ ସ୍ବାଇଁ , ଉନ୍ନୟନ କମିସନର ଅନୁ ଗର୍ଗ, କୃଷି ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ। ଏହା ସହ ମିଶନ ଶକ୍ତି ଅଧୀନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ।
ତେବେ ସାରା ଦେଶ ପାଇଁ ସମ୍ମଳନୀରେ ମିଲେଟ୍ ପଲିସି ରୋଡମ୍ୟାପ ପ୍ରସ୍ତୁତ ହେବ। ମାଣ୍ଡିଆ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ସହ ଘର ଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ। ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ। ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ।