ମଧ୍ୟପ୍ରଦେଶର ଗୁନାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମହିଳାଙ୍କ ବିରୋଧରେ ଏପରି ବିବୃତି ଦେଶକୁ ଅପମାନିତ କରିଛି। ଗତକାଲି ବିହାର ବିଧାନସଭା ଭିତରେ ଜଣେ ବଡ଼ ନେତା ମହିଳାମାନଙ୍କ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ । ସେମାନଙ୍କୁ ଲାଜ ଲାଗୁ ନାହିଁ। I.N.D.I.A ମେଣ୍ଟର କୌଣସି ନେତା ଏହାର ବିରୋଧ କରିନାହାନ୍ତି। ମହିଳାମାନଙ୍କ ବିରୋଧରେ ଏଭଳି ଭାବୁଥିବା ଲୋକେ ଆପଣଙ୍କ ପାଇଁ କିଛି ଭଲ କରିପାରିବେ କି?” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, “ଆମର ମା’ ଏବଂ ଭଉଣୀମାନଙ୍କ ପ୍ରତି ଏଭଳି ଖରାପ ମନୋଭାବ ରଖି ସେମାନେ ଆମ ଦେଶକୁ ଅପମାନିତ କରୁଛନ୍ତି। ଆପଣ ଆଉ କେତେ ତଳକୁ ଖସିବେ ? ” ତେବେ ନିଜର ଅରୁଚିକର କଥା ପାଇଁ ନୀତୀଶ କ୍ଷମା ମାଗି ସାରିଥିଲେ ବି ବିରୋଧୀମାନେ ଟାର୍ଗେଟ କରିଚାଲିଛନ୍ତି।