Onn 3

ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି

Politics State

 

fff

କଟକ: ବରଗଡ଼ ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି। ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ମନୋଜ ମହାପାତ୍ର, ତେଜେଶ୍ବର ପରିଡ଼ା, କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ଶ୍ରୀତମ ଦାସ, ଦିଲୀପ ମଲ୍ଲିକ ଓ ଠାକୁର ରଣଜିତ ଦାସ ପ୍ରମୁଖ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଭେଟି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଅପରାହ୍ନ ପ୍ରାୟ ୫ଟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିଲା। ଶତାଧିକ ଲୋକ ଥାନା ଘେରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭଙ୍ଗାରୁଜା। ଯିଏ ଯାହା ପାରିଲା ସବୁ ଉଠାଇ କଚାଡ଼ି ଚାଲିଥିଲା। ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। କେବଳ ସେତିକୁ ନୁହେଁ, ଉତ୍ତ୍ୟକ୍ତ ଲୋକେ ଝରକାର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ଖୁଲମଖୁଲା ଏହି ଆତଙ୍କରାଜ ଚାଲିଥିଲା। କିନ୍ତୁ ପୁଲିସ୍ ଅବାକ ହୋଇ ଚାହିଁ ରହିଥିଲା। ହାତଗଣତି ପୁଲିସ୍ ଏହି ସଂଘବଦ୍ଧ ଆକ୍ରମଣକୁ ଅଟକାଇବା ପାଇଁ ସାହସ କରିନଥିଲେ। ମନଇଚ୍ଛା ଭଙ୍ଗାରୁଜା ସାରିବା ପରେ ଉତ୍ତ୍ୟକ୍ତ ଲୋକେ ପାଖାପାଖି ୧୨ଟି ଗାଡ଼ିରେ ପଳାଇଥିଲେ। ତେବେ ଏସବୁ ଘଟଣା ବରଗଡ଼ ପୁଲିସ୍ର ପାରିବାପଣିଆକୁ ପଦାରେ ପକାଇଛି।

କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅମ୍ବାଭୋନା ବ୍ଲକସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀକୁ ବ୍ଲକ୍ ବାହାରର କିଛି ଯୁବକ ଭୋଜି କରିବାକୁ ଆସିଥିଲେ। ସେମାନେ ବ୍ରାଉନ୍ସୁଗାର, ଗଞ୍ଜେଇ ସମେତ ଅନ୍ୟ ନିଶା ସାମଗ୍ରୀ ବ୍ୟବହାର କରୁଥିବା ଅମ୍ବାଭୋନା ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା। ସେଠାରେ ପୁଲିସ୍ ସହ ଉପସ୍ଥିତ ଥିବା ଯୁବକମାନଙ୍କ ପାଟିତୁଣ୍ଡ ସହ ଠେଲାପେଲା ହୋଇଥିଲା। ପରେ ସଂପୃକ୍ତ ଯୁବକମାନଙ୍କ ସହଯୋଗୀମାନେ ଥାନା ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଘଟଣା ପଛର କାରଣ ଯାହା ବି ହେଉ ବରଗଡ଼ ପୁଲିସ୍ ସଂପୂର୍ଣ୍ଣ ହାତଟେକି ଦେବା, ସଂଘବଦ୍ଧ ଆକ୍ରମଣ ବେଳେ ଚୁପ୍ ରହିବା ଏବଂ ସଂପୂର୍ଣ୍ଣ ମାମଲାରୁ ପଛଘୁଞ୍ଚା ଦେବା ପଛରେ କୌଣସି ବାହ୍ୟଚାପ ରହିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଜିଲ୍ଲାର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟାରେ ଏହି ଉଦ୍ଭ୍ରାନ୍ତ ଯୁବକମାନେ ଏପରି କାଣ୍ଡ କରିଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ପଛଘୁଞ୍ଚା ଦେଉଥିବା ସ୍ପଷ୍ଟ ହୋଇଛି। ଅବଶ୍ୟ ପୁଲିସ ୧୦୨ଜଣଙ୍କର ଏହି ଘଟଣାରେ ସଂପୃକ୍ତି ରହିଛି ଓ ଏନେଇ ମାମଲା ରୁଜୁ ହୋଇଥିବା ଏସପି ଗତକାଲି ସୂଚନା ଦେଇଥିଲେ।