Onn 3

ମୌଳିକ ସୁବିଧା ଅପହଂଚ, ଭୋଟ ବେଳେ ମନେପଡ଼େ ବାହାଦଲପୁର ଓ ନଳିତାଗଡ଼ିଆ

State

ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଆଗରପଡ଼ା:ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଜନନେତାଙ୍କ ଦୂରଦୃଷ୍ଟିର ଅଭାବ ହେତୁ ସ୍ୱାଧିନତାର ବହୁ ବର୍ଷ ପରେବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୧ନଂ ୱାର୍ଡ଼ର ଦୁଇ ଗାଁ ବାହାଦଲପୁର ଓ ନଳିତାଗଡ଼ିଆ ଠାରେ । ଏଠି ଗମନାଗମନ, ଶିକ୍ଷା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲୋଟିଛି ସାତ ସପନ । କିନ୍ତୁ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଦୁଇ ଗାଁର ଅଧିବାସୀ ଲୁହଭିଜା ନୟନରେ ଓ ଆବେଗଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିବାସହ ଆଗାମୀ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଭୋଟ ନଦେବାକୁ ସ୍ଥିର କରିଥିବାର କହିଛନ୍ତି ।’ରାସ୍ତା ନାହିଁ ତ ଭୋଟ ନାହିଁ ‘ରେ ସେମାନେ ଅଟଳ ଥିବା ଜଣାପଡ଼ିଛି । ଏକ ଛୋଟିଆ ଗାଁ ବାହାଦଲପୁର ଯାହାର ଲୋକସଂଖ୍ୟା ୧୧୦ ତନ୍ନମଧ୍ୟରୁ ଭୋଟର ସଂଖ୍ୟା ୬୧ । ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଆଡ଼ିଆ ଠାରୁ ଜିରିଣାକୁ ଲମ୍ବିଥିବା ମାଟି ରାସ୍ତାରେ ଯିବାପରେ ଚାଷଜମି ହିଡ଼ ରେ ପ୍ରାୟ ୨ଶହ ମିଟର ଗଲାପରେ ଏହି ଗାଁ ପଡ଼େ ।

ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ । ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ବଜାରକୁ ନ ଗଲେ ରୋଷେଇ ବନ୍ଦ, ପୁଣି କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଗାଁ ମଝିରେ ପଞ୍ଚାୟତ ପୋଖରୀଟି ଥିବାରୁ ଗାଁ ମଧ୍ୟରେ ରାସ୍ତା ଆଦୈା ନାହିଁ ବୋଲି କହିଲେ ଚଳେ । ପୋଖରୀ ହୁଡ଼ାରେ ଗାଁ ମଧ୍ୟରେ ଯାଆଆସ କରିବାକୁ ହୋଇଥାଏ । ଆଡ଼ିଆରୁ ଏହି ଗାଁକୁ ଲମ୍ବିଥିବା ରାସ୍ତାଟି ଆସି ଜନୈକ ଗ୍ରାମବାସୀଙ୍କ ନିଜସ୍ୱ ଜାଗାକୁ ସଂଯୋଗ କରିଛି । ସମସ୍ତ ଗ୍ରାମବାସୀ ଏହି ବ୍ୟକ୍ତିଗତ ଜାଗା ଦେଇ ନିଜନିଜ ଘରକୁ ଆସିଥାନ୍ତି । ଅନୁରୂପଭାବେ ନଳିତାଗଡ଼ିଆ ଗ୍ରାମର ଲୋକସଂଖ୍ୟା ପାଖାପାଖି ୬୦, ତନ୍ନମଧ୍ୟରୁ ୪୦ଜଣ ଭୋଟର । ଏହି ଗାଁର ଅବସ୍ଥା ତଦ୍ରୁପ,କାଦୁଅ ପଚପଚ ରାସ୍ତାଟି ଖାଲଖମାରେ ଭର୍ତ୍ତି ।

ଏହି ଗାଁ ଓ ବାହାଦଲପୁର ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ଅଙ୍ଗନବାଡ଼ି,ସ୍କୁଲ ତଥା କଲେଜକୁଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଦୁଇ ଗାଁ ବାହ୍ୟ ଜଗତରୁ ବିଛିନ୍ନ ପ୍ରାୟ ହୋଇଯାଇଥାଏ । ଏହି ୨ଟି ଗାଁର ରୋଗୀମାନଙ୍କୁ ଖଟିଆରେ ବୋହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏହି ଗାଁର ପ୍ରାୟ ୫କି.ମି. ଦୂରରେ ରହିଥାନ୍ତି କାରଣ ଏହି ସଂକୀର୍ଣ୍ଣ ରାସ୍ତାରେ ଚାରିଚକିଆ ଗାଡ଼ି ଆସିବା ସମ୍ଭବପର ହୁଏ ନାହିଁ । ଏହି ପରି ଅସମ୍ଭବ ପରିସ୍ଥିତମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶୃତିରେ ହିଁ ରହିଯାଇଛି ବୋଲି ଗ୍ରାମର ହୃଷିକେଶ ପାତ୍ର କହିଛନ୍ତି । ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାଶରଥି ନାୟକ, ଭାବଗ୍ରାହୀ ନାୟକ, ଅଭିରାମ ରାଉତ, ଗୟାଧର ରାଉତ, ସୁଦର୍ଶନ ମଲ୍ଲିକ, କାଳିଆ ମଲ୍ଲିକ,ଉମାକାନ୍ତ ଜେନା, ଅଲେଖ ଜେନା, ବଳରାମ ଜେନା, ପର୍ଶୁରାମ ଯେନା, ବଂଶିଧର ଯେନା.ରମେଶ ନାୟକ ,କାଳନ୍ଦୀ ନାୟକ ଓ ଭାରତୀ ରାଉତଙ୍କ ସମେତ ଶତାଧିକ ମହିଳା ଦୃଢ ଦାବି କରିଛନ୍ତି ।