Onn 3

ସିଏମ୍‌ଓ ଅଫିସ୍‌ରେ ହଠାତ୍ କ୍ଲୋରିନ୍‌ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ

National & International

 

nur

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଶୁକ୍ରବାର ଏକ ଗ୍ୟାସ୍‌ ଲିକ୍‌ ଘଟଣା ସାମ୍ନାକୁ ଆସିଛି। ଏଠାରେ ସିଏମ୍‌ଓ ଅଫିସ୍‌ରେ ହଠାତ୍ କ୍ଲୋରିନ୍‌ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ। ଏହି ଘଟଣା ପରେ ପୂରା କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଥିଲା। ସମସ୍ତ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

ସିଏମଓ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଗୁରୁବାର ଏଠାରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍ ସମସ୍ୟା ଆରମ୍ଭ ହୋଇଥିଲା। ଯଦିଓ ସ୍ଥିତିକୁ କାବୁ କରି ନିଆଯାଇଥିଲା, କିନ୍ତୁ ଗ୍ୟାସ୍‌ ନିର୍ଗତକୁ ରୋକିବା ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଆଜି ପୁଣି ଏଠାରେ ଗ୍ୟାସ୍ ଲିକ୍ ହୋଇଛି। ଏହି କାରଣରୁ କାର୍ଯ୍ୟାଳୟରେ ଉପସ୍ଥିତ କର୍ମଚାରୀମାନେ ନିଶ୍ୱାସ ନେବାରେ ଅସୁବିଧା ଭୋଗିଥିଲେ। ଲୋକମାନେ ଏଠାରେ କାମ କରିପାରି ନ ଥିଲେ।

ଏହି ଘଟଣାରେ ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ନର୍ସିଂ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ ସିଏମଓ ଅଫିସ୍‌ରେ କାର୍ଯ୍ୟ କରୁଥିବା ସମସ୍ତ ଲୋକ ବାହାରକୁ ଦୌଡ଼ି ଆସିଥିଲେ।

ଘଟଣା ବିଷୟରେ ମଥୁରା ସିଏମଓ ଡାକ୍ତର ଅଜୟ କୁମାର ବର୍ମା କହିଛନ୍ତି ଯେ ଆମେ ଏକ ପ୍ରକାର ଗନ୍ଧ ଅନୁଭବ କରିଥିଲୁ। ଏ ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲୁ। ସେମାନେ ଘଟଣାସ୍ଥଳ ଆସି ଅନୁଧ୍ୟାନ କରିଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଆଜି ସକାଳେ ପୁଣି ସମାନ ଗନ୍ଧ ଆସିବାରୁ ଆମେ ପୁଣିଥରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲୁ। କିଛି ନର୍ସିଂ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।