Onn 3

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଠାଇ ନେଲା ପୋଲିସ

Crime State

 

pad

ବାରଙ୍ଗ : ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ମହିଳାଙ୍କୁ ଉଠାଇ ନେଲା ମଞ୍ଚେଶ୍ୱର ଥାନା ପୋଲିସ । ୭୦ରୁ ଅଧିକ ମହିଳାଙ୍କୁ ପୋଲିସ ଉଠାଇନେଇଛି । ୩ ପ୍ଲାଟୁନ ଫୋର୍ସ ଧରି ଚାଲିଥିଲା ଅପରେସନ୍ ।

ପୂର୍ବରୁ ଗାଁ ଥିଲା ପୁରୁଷ ଶୂନ୍ୟ ଆଉ ଏବେ ପାଖାପାଖି ଜନ ଶୂନ୍ୟ । ଦୀର୍ଘ ଦୁଇ ମାସରୁ ଅଧିକ ଦିନ ହେବ ଚାଲିଥିବା ବିବାଦ ଓ ଗୋଷ୍ଠୀ ସଂଘର୍ଷ ମାମଲାରେ କଡା ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ରାତି ୩ଟା ସମୟରେ ୩ ପ୍ଲାଟୁନ ଫୋର୍ସ ପଦ୍ମକେଶରୀପୁର ଗ୍ରାମକୁ ଚାରିପଟେ ଘେରିବା ସହିତ ଘର ଭିତରୁ ମହିଳାମାନଙ୍କୁ ନେଇ ଯାଇଥିଲେ । ଉଭୟ ୭ ନମ୍ବର ଓ ୩ ନମ୍ବର ୱାର୍ଡର ପାଖାପାଖି ଶତାଧିକ ମହିଳାଙ୍କୁ ପୋଲିସ ଉଠାଇ ନେଇଛି । ଅପରେସନରେ ସହିଦନଗର, ମଞ୍ଚେଶ୍ୱର ଏବଂ ଇନ୍‌ଫୋସିଟି ଥାନା ପୋଲିସ ସହ ମହିଳା ପୋଲିସ ସାମିଲ ଥିଲେ ।

ଦୁଇ ଘଣ୍ଟା ଧରି ଚାଲିଥିଲା ଧରପଗଡ । କାଳେ କିଏ ଖସିଯିବ ସେଥିପାଇଁ ଚାରିପଟୁ ଘେରିଥିଲେ ପୋଲିସ ଫୋର୍ସ । ସକାଳ ପାହିଲା ବେଳକୁ ଦୁଇ ୱାର୍ଡର ପ୍ରାୟ ସବୁ ମହିଳାଙ୍କୁ ଉଠାଇ ନେଇଯିବା ପରେ ପାଖାପାଖି ସାହି ଜନଶୂନ୍ୟ ହୋଇଥିଲା । ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ସେକ୍ସନ ଫୋର୍ସ ଗାଁ ଭିତରେ ମୁତୟନ କରାଯାଇଛି ।

ସେପଟେ ପୂର୍ବରୁ ପୁରୁଷ ଏବଂ ଏବେ ମହିଳାମାନଙ୍କୁ ଉଠାଇ ନେବା ପରେ ସେମାନଙ୍କ ପିଲାଛୁଆ କିପରି ରହିବେ ବୋଲି କିଛି ମହିଳା ପ୍ରଶ୍ନ କରିଛନ୍ତି । ଯେଉଁମାନେ ଦୋଷ କରିଛନ୍ତି ସେମାନଙ୍କୁ ନନେଇ ଯେଉଁମାନେ କିଛି ଜାଣିନାହାନ୍ତି ତାଙ୍କୁ  ପୋଲିସ ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଲଗାତାର ପୋଲିସ ଅତର୍କିତ ଚଢ଼ାଉ କରି ଗିରଫ କରୁଥିବା ଭୟରେ କିଛି ଲୋକେ ଗାଁ ଛାଡ଼ି ଅନ୍ୟ ଜିଲ୍ଲାକୁ ସକାଳୁ ଟ୍ରେନ୍ ଯୋଗେ ପଳାଇଥିବା ବେଳେ ଆଉ କିଛି ଅନ୍ୟତ୍ର ଜାଗାରେ ରହିବାକୁ ଯୋଜନା କଲେଣି ।