Onn 3

ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଖୋର୍ଦ୍ଧାର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ୧୦ କୋଟି

State

school-students-bkm-718x430

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟକୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଜି ଏନେଇ ରୁରାଲ୍‌ ୱାର୍କସ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବେଗୁନିଆ ବ୍ଲକର ତିନିଟି ମହାବିଦ୍ୟାଳୟକୁ ୧କୋଟି ୭୫ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏହା ମଧ୍ୟରୁ ବେଗୁନିଆ ସ୍ନାତକ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହଗୁଡ଼ିକର ସ୍ମାର୍ଟ ଶ୍ରେଣୀଗୃହକୁ ଉନ୍ନୀତ, ପାନୀୟ ଜଳ ସୁବିଧା ଆଦି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ବେଗୁନିଆ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା, ବେଗୁନିଆ ସରକାରୀ ଭୋକେସନାଲ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବୋଲଗଡ଼ ବ୍ଳକକୁ ସର୍ବାଧିକ ୩ କୋଟି ୨୫ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏହା ମଧ୍ୟରୁ ବୋଲଗଡ଼ ବ୍ଲକର କାଳୀ ଚରଣ ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ସ୍ନାତକ ମହାବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା, କାଳୀ ଚରଣ ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା ଦିଆଯାଇଛି। ପିଏନ୍‌ ସରକାରୀ ଭୋକେସନାଲ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ ଲକ୍ଷ ଟଙ୍କା, ପିଏନ୍‌ ସ୍ନାତକ ମହାବିଦ୍ୟାଳୟକୁ ୧ କୋଟି ଟଙ୍କା, ପିଏନ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧ କୋଟି ଟଙ୍କା ଅନୁଦାନ ମିଳିଛି। ସେହିଭଳି, ​ଟାଙ୍ଗୀ ବ୍ଲକର ନିରାକାରପୁର ଠାରେ ଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ୧ କୋଟି ୨୫ଲକ୍ଷ, କ୍ଷେତ୍ରବାସୀ ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧ କୋଟି ୨୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଭୁବନେଶ୍ବର ବ୍ଲକର ବାରଙ୍ଗ କୁଞ୍ଜ ବିହାରୀ ମହାବିଦ୍ୟାଳୟକୁ ୧ କୋଟି ଓ ବାରଙ୍ଗ କୁଞ୍ଜ ବିହାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ବାଣପୁର ବ୍ଲକର ନାଚୁଣୀ ସ୍ନାତକ ମହାବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା ଓ ନାଚୁଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ଏନେଇ ପ୍ରସ୍ତୁତ ହୋଇଥିବା ବିଭାଗୀୟ ଆକଳନକୁ ତୁରନ୍ତ ପ୍ରାଶାସନିକ ଅନୁମୋଦନ ମିଳିଲେ, ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ତେବେ ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ବିଦ୍ୟାଳୟ ଗୋଟିଏ ପରିସରରେ ଓ ଗୋଟିଏ ପ୍ରକୋଷ୍ଠରେ ହେଉଥିବାରୁ ବିଭାଗୀୟ ଅନୁଦାନ କିଭଳି ଖର୍ଚ୍ଚ ହେବ ସେନେଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି।