Onn 3

ବିଜେପି, ୧୪ରୁ କରିବ ୫ଦିନିଆ ବ୍ଲକ ଘେରାଉ

State

IMAGE_1698758886

ଭୁବନେଶ୍ବର : ଓଡ଼ିଶାରେ ବର୍ଷକୁ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠୁ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି । ନବୀନ ପଟ୍ଟନାୟକ ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡ଼ିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି । ଏ ସରକାର କେବଳ ବିଜ୍ଞାପନରେ ବଂଚିଛି । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଆଉ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆସନ୍ତା ୧୪ତାରିଖରୁ ୫ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବ ବୋଲି ବିଜେପି ଘୋଷଣା କରିଛି ।
ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷର ଶାସନରେ ଓଡ଼ିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳାବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଂଚାୟତରୁ ନେଇ ବ୍ଲକ, ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ଚାଲିଛି । ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି । କେବଳ ବିଜ୍ଞାପନରେ ବଂଚିଛନ୍ତି ସରକାର । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଞ୍ଜି ବୋଲି ଶ୍ରୀ ସାମଲ କହିଛନ୍ତିି ।
ଗତ ଦୁଇ ମାସ ତଳେ ବିଜେପି ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ଦଳକୁ ମିଳିଥିବା ଅଭୂତପୂର୍ବ ଜନସମର୍ଥନ ମିଳିଛି । ଆଉ ଏହା ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୂର ରହିଥିବାର ପ୍ରମାଣ ଦେଉଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ । ଆସନ୍ତା ନଭେମ୍ବର ୧୪ ରୁ ୧୮ ଏହି ୫ ଦିନ ଧରି ରାଜ୍ୟର ସମସ୍ତ ବ୍ଲକ୍ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ ।
ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର ହେଉଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ହେଉଥିବା ସମସ୍ତ କାମରେ ୫୦% ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଆଗରୁ ପଇସା ପହଂଚାଯାଉଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ୍‌ପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଘିଂଛି । କେବଳ ବଡ଼ବଡ଼ କୋଠା ନିର୍ମାଣ ହେଉଛି ଓଡ଼ିଶା ବାହାରର ଠିକା ସଂସ୍ଥାକୁ ପୋଷିବା ପାଇଁ । ଆଉ ଏପଟେ ରାଜ୍ୟ ସରକାର ସମସ୍ତଙ୍କ ପାଖରେ ପିଇବା ପାଣି ଟୋପେ ଦେଇପାରୁନାହାଁନ୍ତି ।
ପାଣି ପାଇଁ ଲୋକେ ମୃତ୍ୟୁର ଶୀକାର ହେଉଛନ୍ତି । କେନ୍ଦୁଝରରେ ୧୧ ଜଣ ଜୁଆଙ୍ଗ ବିଷାକ୍ତ ପାଣି ପିଇ ପ୍ରାଣ ହରାଇବା ମଧ୍ୟ ଏହାର ଏକ ଉଦାହରଣ। ସାମାନ୍ୟ ଭତ୍ତା, ରେସନ କାର୍ଡ, ପାଇଖାନା ଓ ପକ୍କାଘରଟିଏ ପାଇବା ପାଇଁ ଲାଂଚ ଦେବାକୁ ପଡୁଛି । ଆଜି ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡ଼ପ କରିନିଆଯାଇଛି । ଆଜି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତିି । ବିଧାୟକ, ସାଂସଦ, ମନ୍ତ୍ରୀମାନେ ଗୁମାସ୍ତାଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତିି । ଓଡ଼ିଶାରେ କ’ଣ ହେବ ନହେବ କିଛି ମୁଷ୍ଟିମେୟ ଅଫିସରମାନେ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଓଡ଼ିଶାକୁ ଅଧିକ ଅର୍ଥ କେବଳ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ ଓଡିଶା ପ୍ରତି ଭଲପାଇବା ପାଇଁ ହିଁ ମିଳିଛି ବୋଲି ଶ୍ରୀ ସାମଲ କହିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ସମେତ ମୁଖପାତ୍ର ଅନିଲ ବିଶ୍ୱାଳ ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ ।