Onn 3

ନଭେମ୍ବେର ୧ରୁ କୋରାପୁଟରେ ଇକୋ ରିଟ୍ରିଟ୍‌

State

 

କୋରାପୁଟ: ଆରମ୍ଭ ହୋଇସାରିଛି ଶୀତ। ଅଳଶି ଫୁଲର ସୁନେଲି ରଂଗର ଚାଦରରେ ଘୋଡାଇ ହୋଇଛି କୋରାପୁଟର ପ୍ରକୃତିରାଣୀ। ମନୋରମ ପ୍ରକୃତି ଓ ପରିବେଶଭରା କୋରାପୁଟ ଏବେ ଭୂସ୍ୱର୍ଗ ପାଲଟିଛି। ଏଇ କମନୀୟ ପରିବେଶକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଲାଗି ଦେଓମାଳି ପାଦଦେଶର ପୁଟସିଲ ଠାରେ ଖୁବ ଶୀଘ୍ର ଆରମ୍ଭ ହେବ ଇକୋ ରିଟ୍ରିଟ୍ ସେବା ।

କୋରାପୁଟ ଜିଲ୍ଲା ଦେଓମାଳି ପାହାଡ଼ ପାଦଦେଶରେ ପୁଟସିଲ ଗ୍ରାମ ନିକଟ ଗିର୍ଲିମାଳି ପର୍ବତରେ ତିଆରି ଚାଲିଛି ଇକୋ ରିଟ୍ରେଟ୍ । ୨୬ ନମ୍ବର ଜାତୀୟ ରାଜପଥରେ ସେମିଳିଗୁଡ଼ାରୁ ଦୁଧାରି ଦେଇ ୩ କି.ମି. ଗଲେ ପଡିବ ପୁଟସିଲ । ପୁଟସିଲ ନିକଟ ଗିର୍ଲିମାଳି ପାହାଡ଼ ଶିଖରରେ ଲାଗି ରହିଛି ବିସ୍ଥୀର୍ଣ୍ଣ ସମତଳ ଭୂମି। ପ୍ରାକୃତିକ ପରିବେଶ ମଧ୍ୟରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଉପରେ ପାହାଡ଼, ପାହାଡ଼ ତଳ ଦେଇ ଚିରସ୍ରୋତା ଝରଣା । ଆଖି ପାଉ ନଥିବା ଯାଏ କୋରାପୁଟର ଅଭୁଲା ପ୍ରାକୃତିକ ଦୃଶ୍ୟରାଜି । ଏସବୁ ବ୍ୟତୀତ ଜନଜାତି ନୃତ୍ୟ, ପାହାଡ଼ ଚଢା, ତୀନ୍ଦାଜି, ସ୍ଥାନୀୟ ଖାଦ୍ୟ ଆଦିର ସୁବିଧା । ଏସବୁ ଏବେ ପୁଟୁସିଲରେ ଉପଲବ୍ଧ । ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତବର୍ଷ ଇକୋ ରିଟ୍ରିଟ୍ ଜରିଆରେ ୧୦ଟି ସ୍ୱତନ୍ତ୍ର ଅସ୍ଥାୟୀ କଟେଜ ସହ ଅନ୍ୟ ବର୍ଗର ୧୮ଟି କଟେଜ୍ ର ବ୍ୟବସ୍ଥା କରାଯାଇଛି । ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ଵାଗତ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଏହାର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ସରିଛି। ଓଡ଼ିଶାର ସୁଇଜରଲାଣ୍ଡ ରୂପେ ପରିଚିତ କୋରାପୁଟ । ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ପାଦଦେଶରେ ଏହି ଇକୋ ରିଟ୍ରିଟ୍ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଜିଲ୍ଲା ପ୍ରଶାସନ ଆଶାବାଦୀ ଅଛନ୍ତି । ଉଭୟ ଦେଶ ଓ ବିଦେଶର ଆସୁଥୁବା ପର୍ଯ୍ୟଟକଙ୍କ ପାଇଁ ୨୮ଟି କଟେଜ ନିର୍ମାଣ କରାଯାଇଛି । ଇକୋ ରିଟ୍ରିଟ୍ ରେ ରହିବା ସକାଶେ ପଯ୍ୟଟନ ୱେବସାଇଟ୍ ରେ ଅନଲାଇନ୍ ଜରିଆରେ ଏହି କଟେଜ ବୁକିଂ ବ୍ୟବସ୍ଥା ହୋଇଛି। କଟେଜର ଦୈନିକ ଦର ୬ ହଜାରରୁ ୮ ହଜାର ମଧ୍ୟରେ ରହିବ।

ଆବଶ୍ୟକ ହେଲେ ଏହାର ଦର ସାମାନ୍ୟ ବୃଦ୍ଧି କରାଯିବ। ଫେବୃୟାରୀ ଶେଷ ଯାଏ ଏହି ଇକୋ ରିଟ୍ରିଟ୍ ଚାଲିବ ବୋଲି ଜିଲ୍ଲାପାଳ ଅଖତର ପ୍ରକାଶ କରିଛନ୍ତି। ପର୍ଯ୍ୟଟକମାନଙ୍କୁ କିପରି ସ୍ଥାନୀୟ ଖାଦ୍ୟ ଶସ୍ୟର ବିଭିନ୍ନ ବ୍ୟଞ୍ଜନ ପରଷାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏଠାରୁ ଦେଓମାଳିକୁ ଟ୍ରାକିଂ ସୁବିଧା ମଧ୍ୟ କରାଯାଇଛି। ପାହାଡ଼ଚଢ଼ା, ଟ୍ରାକିଂ ପାରାଗ୍ଲାଇଡ୍, ତୀରନ୍ଦାଜୀ ଆଦି ସୁବିଧା ପର୍ଯ୍ୟଟକଙ୍କୁ ମିଳିବ। ସେହିପରି ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ପରିବେଷଣ ହେବ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ସଠିକ ଭାବେ ପରିଚାଳନା ଜରାଯାଇପାରିଲେ ପର୍ଯ୍ୟଟକମାନଙ୍କ ଆଗମନ ଅଧିକ ହୋଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।

୨୦୨୧ ଡିସେମ୍ବର ୧୫ରେ ସେମିଳିଗୁଡ଼ା ବ୍ଲକର ପୁଟସିଲ ନିକଟ ଗିର୍ଲିମାଳି ପାହାଡ଼ ଉପରେ ପ୍ରଥମ ଥର ପାଇଁ ଏହି ଇକୋ ରିଟ୍ରିଟ୍ ଆରମ୍ଭ ହୋଇଥିଲା। ରହିଵା ସକାଶେ ପର୍ଯ୍ୟଟକଙ୍କ ବହୁତ ପସନ୍ଦ ରହିଥିଲା । ଚଳିତ ବର୍ଷ ବି ପର୍ଯ୍ୟଟକଙ୍କ ପସନ୍ଦ ହେବ ଆଶା କରାଯାଉଛି ।