Onn 3

କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ

Religion and Cult State

ଆଗରପଡ଼ା: ଶନିବାର ଆଗରପଡ଼ା ତଥା ତାର ଆଖପାଖ ଅଞ୍ଚଳରେ କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆଶ୍ୱିନ ମାସର ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାରୀ ଝିଅମାନେ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ସମୟରେ ଚଉଁରା ମୂଳରେ ଜହ୍ନି ଫୁଲରେ ଗୋଟିଏ ଗୋଟିଏ କୋଠି ତିଆରି କରି ତା ମଝିରେ ଜହ୍ନି ଫୁଲରେ ଗୋଟିଏ ଚାନ୍ଦ ତିଆରି କରିଥାନ୍ତି । କୋଠିରେ ଅରୁଆ ଚାଉଳ, ସାତ ଖଣ୍ଡ ହଳଦୀ, ଫୁଟଣ, କପା, ଲୁଣ ପ୍ରଭୃତି ଦେବା ପରେ କୁମାରୀମାନେ ତିନି ଆଞ୍ଜୁଳି ଜହ୍ନି ଫୁଲ ଚାଳ ଉପରକୁ ପକାଇବା ସହ ଆଉ ତିନି ଆଞ୍ଜୁଳି ଜହ୍ନି ଫୁଲ ତୁଳସୀ ଗଛ ଉପରକୁ ପକାଇଥାନ୍ତି । ପ୍ରତ୍ୟେକ ଦିନ କଇଁ ଫୁଲ ପକାଇ ଚଉଁରା ନିକଟରେ ମିଳିତ ଭାବେ କୁମାର ପୂନେଇଁ ଗୀତ ଗାନ କରିଥାନ୍ତି ।

ଶୁକ୍ରବାର ବଡ଼ଘର ପୂଜା ଓ ଶନିବାର ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ପରେ ଗ୍ରହଣ ଲାଗୁଥିବାରୁ ସଂଧ୍ୟା ପୁର୍ବରୁ ନୂତନ ବସ୍ତ୍ର ପରିଧାନ କରି ଚଉଁରା ମୂଳେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଶନିବାର ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳ କୁମାରୀମାନେ ଏହି ଉତ୍ସବକୁ ବଡ଼ ଧୂମଧାମରେ ପାଳନ କରିଛନ୍ତି । ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ରିତିନିତି ଅନୁସାରେ ଆରମ୍ଭ ହୋଇଛି । ସେହିପରି ପ୍ରାୟ ୧୫୦ବର୍ଷ ତଳେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦୀ ଗ୍ରାମରେ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀନାରାୟଣ’ ପୂଜା ପାଇଁ ଉକ୍ତ ଅଂଚଳ ଚଳଚଂଚଳ ହୋଇଉଠିଛି । ଏହି ପୂଜା ଏଠାରେ ୫ ଦିନ ଧରି ଚାଲିବା ସହ ।ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ତୁମ୍ଭାପଦୀ ଗ୍ରାମରେ ଏକ ସେଲ୍‌ଫି ପଏଣ୍ଟର ଶୁଭ ଉଦ୍‌ଘାଟନ କରାଯାଇଛି ।